ଆଇପିଏଲ୍ ପାଇଁ ଅଢ଼େଇ ମାସର ୱିଣ୍ଡୋ
ଆଇପିଏଲ୍ ଆଗରେ ନଇଁଲା ଆଇସିସି
ନୂଆଦିଲ୍ଲୀ, ୧୬ା୭ (ଏଜେନ୍ସି): ଯେତେବେଳ ଯାଏଁ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଚାଲିବ, ସେତେବେଳ ଯାଏଁ କୌଣସି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଅଥବା ଶୃଙ୍ଖଳା ହେବ ନାହିଁ । ଆନ୍ତର୍ଜାତିକ କ୍ରିକେଟ୍ କାଉନ୍ସିଲ୍ (ଆଇସିସି) ଆଇପିଏଲ୍କୁ ପ୍ରତିବର୍ଷ ଅଢ଼େଇ ମାସର ୱିଣ୍ଡୋ ଦେବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାର ବିରୋଧ କରୁଥିଲା; ଆଇସିସି ଏହି ବିରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛି ।
ଆଇପିଏଲ୍ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ । ନିକଟରେ ଏହାର ପ୍ରସାରଣ ଅଧିକାର ୪୮.୩ ହଜାର କୋଟିରେ ବିକ୍ରି ହୋଇଛି । ଏବେ ଏହାର ଶକ୍ତି ଆଗରେ ନଇଁଛି ବିଶ୍ୱ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ।
ଆଇପିଏଲ୍କୁ ଧ୍ୟାନରେ ରଖି କରାଯାଇଛି ଫୁ୍ୟଚର୍ ଟୁର୍ ପ୍ରୋଗ୍ରାମ୍
ଆଇସିସି ୨୦୨୩ରୁ ୨୦୨୭ ଯାଏଁ ଆନ୍ତର୍ଜାତିକ ଦ୍ୱିପାକ୍ଷିକ ଶୃଙ୍ଖଳା ଓ ଟୁର୍ଣ୍ଣାମେଣ୍ଟର ଫୁ୍ୟଚର୍ ଟୁର୍ ପ୍ରୋଗ୍ରାମ୍ (ଏଟିପି) ପ୍ରସ୍ତୁତ କରିଛି । ଏଥିରେ ଆଇସିସିର ୧୨ ପୂର୍ଣ୍ଣକାଳୀନ ସଭ୍ୟଙ୍କ ମ୍ୟାଚ୍ ଅନ୍ତର୍ଭୁକ୍ତ ହୋଇଛି । ସଦ୍ୟତମ ଏଫ୍ଟିପିରେ ଦୁଇଟି ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍, ଆଇସିସିର ଅନ୍ୟ ଇଭେଣ୍ଟ ଓ ଅନେକ ଦ୍ୱିପାକ୍ଷିକ ଶୃଙ୍ଖଳା ରହିଛି ।
ଏକ କ୍ରିକେଟ୍ ୱେବ୍ସାଇଟ୍ର ରିପୋର୍ଟ ଅନୁଯାୟୀ ଆଇପିଏଲ୍କୁ ଫୁ୍ୟଚର ଟୁର୍ ପ୍ରୋଗ୍ରାମ୍ର କ୍ୟାଲେଣ୍ଡରରେ ପ୍ରତି ବର୍ଷ ଅଢ଼େଇ ମାସର ୱିଣ୍ଡୋ ମିଳିଛି । ଆଇପିଏଲ୍ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ୨୦୨୩ ଓ ୨୦୨୪ରେ ଆଇପିଏଲ୍ରେ ୭୪ ଲେଖାଏଁ ମ୍ୟାଚ୍ ଖେଳାଯିବ । ୨୦୨୫ ଓ ୨୦୨୬ରେ ୮୪ ଲେଖାଏଁ ଏବଂ ୨୦୨୭ ବେଳକୁ ପ୍ରତିବର୍ଷ ୯୪ ଆଇପିଏଲ୍ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି ।
ଦ ହଣ୍ଡ୍ରେଡ୍ ଓ ବିଗ୍ ବ୍ୟାଶ୍ ଲିଗ୍କୁ ବି ୱିଣ୍ଡୋ
ଆଇପିଏଲ୍ ଛଡ଼ା ଯେତେବେଳେ ଅଷ୍ଟ୍ରେଲିଆରେ ‘ଦ ହଣ୍ଡ୍ରେଡ୍’ ଓ ଇଂଲଣ୍ଡରେ ‘ବିଗ୍ ବ୍ୟାଶ୍ ଲିଗ୍’ ଆୟୋଜିତ ହୋଇଥାଏ, ସେତେବେଳେ ଉଭୟ ଦେଶର ଟିମ୍ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବେ ନାହିଁ । ତେବେ ଏହି ସମୟରେ ଅନ୍ୟ ଟିମ୍ କ୍ରିକେଟ୍ ଖେଳିବା ଜାରି ରଖିବେ ଏବଂ ଆନ୍ତର୍ଜାତିକ କ୍ରିକେଟ୍ ସମ୍ପୂର୍ଣ୍ଣ ରୂପେ ଅଟକିବ ନାହିଁ; କିନ୍ତୁ ଆଇପିଏଲ୍ ସମୟରେ ଆନ୍ତର୍ଜାତିକ କ୍ରିକେଟ୍ ପ୍ରାୟତଃ ବନ୍ଦ ରହିବ ।
ସେହିପରି ଯେତେବେଳେ କାରିବିୟାନ୍ ଲିଗ୍ ଓ ବାଂଲାଦେଶ ପ୍ରିମିଅର୍ ଲିଗ୍ ଖେଳାଯିବ, ସେତେବେଳେ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଟିମ୍ ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବେ ନାହିଁ । ଏହି ଏଫ୍ଟିପିକୁ ଆନୁଷ୍ଠାନିକ ଭାବେ ଜୁଲାଇ ୨୫ ଓ ୨୬ରେ ବର୍ମିଂହାମ୍ ଠାରେ ହେବାକୁ ଥିବା ଆଇସିସିର ବାର୍ଷିକ ବୈଠକ ପରେ ସାର୍ବଜନୀନ କରାଯିବ ।