ଭାରତ ଚେସ୍ର ଉତ୍ପତ୍ତି ସ୍ଥଳ
ଚେସ୍ ଅଲିମ୍ପିଆଡ୍ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ା୭ (ବୁ୍ୟରୋ): ୪୪ତମ ଚେସ୍ ଅଲିମ୍ପିଆଡର ମଶାଲକୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଦିନ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଓଡିଆ ଚେସ୍ ତାରକା ପଦ୍ମିନୀ ରାଉତଙ୍କୁ ଏହି ମଶାଲ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଚେସ୍ ଅଲମ୍ପିଆଡ୍ ଭଳି ଆର୍ନ୍ତଜାତୀୟ କ୍ରୀଡାର ଆୟୋଜନ କରିବା ଭାରତ ପାଇଁ ଗର୍ବର ବିଷୟ । ଭାରତ ଚେସର ଉତ୍ପତି ସ୍ଥଳ । ଚେସ୍ ଚତୁରଙ୍ଗ ଭାବେ ଖେଳାଯାଉଥିଲା । ମୁଖ୍ୟମନ୍ତ୍ରୀ ଆହୁ ରି କହିଥିଲେ ଯେ, ଚେସରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି । ଅନେକ ଓଡ଼ିଆ ଚେସ୍ ଖେଳାଳି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସଫଳତା ପାଇଛନ୍ତି । ଓଡିଶାରେ ଚେସ୍ ଖେଳର ବହୁଳ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଓ କଲେଜ ସ୍ତରରେ ଚେସ୍ ପ୍ରତିଯୋଗିତାର ଆୟୋଜନ କରାଯିବ । ଓଡ଼ିଶାକୁ ମଶାଲ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ।
ଭୁବନେଶ୍ୱରରୁ ଏହି ଚେସ୍ ଅଲମ୍ପିଆଡ୍ ମଶାଲ ପୁରୀ ଏବଂ ପୁରୀରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ସେଠାରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସି ରାୟପୁର ଅଭିମୁଖେ ବାହାରିବ । ଗତ ଜୁନ୍ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଏହି ମଶାଲକୁ ଗ୍ରହଣ କରିବା ପରେ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦଙ୍କୁ ପ୍ରଦାନ କରିଥିଲେ । ଏହି ମଶାଲ ଓଡିଶାର ଭୁବନେଶ୍ୱର, ପୁରୀ ଓ କୋଣାର୍କ ସମେତ ଦେଶର ମୋଟ ୭୫ ଟି ସହର ପରିକ୍ରମା କରିବ । ଚେନ୍ନାଇରେ ହେବାକୁ ଥିବା ଚେସ୍ ଅଲମ୍ପିଆଡ୍ରେ ଓଡିଶାରୁ ପଦ୍ମିନୀ ରାଉତଙ୍କ ସମେତ ମୋଟ୍ ୬ ଜଣ ଖେଳାଳି ଭାଗ ନେବେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ, ଚେସ୍ ଖେଳାଳି ପଦ୍ମିନୀ ରାଉତ ଓ କିରଣ ମନିଷା ମହାନ୍ତି ଉପସ୍ଥିତ ଥିଲେ ।