ପତ୍ନୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ
ଢେଙ୍କାନାଳ, ୧୫ା୭ (ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ପରକ୍ରିୟା ପ୍ରୀତିକୁ ନେଇ ପତ୍ନୀର ମୁଣ୍ଡକାଟି ଦୀର୍ଘ ୧୨ କିଲୋମିଟର ମୁଣ୍ଡକୁ ଧରି ଚାଲିଚାଲି ଯିବା ଘଟଣା ରାଜ୍ୟରେ ବେଶ୍ ଚହଳ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଗ୍ରାମର ନାକଫୋଡି ମାଝି ଜଣେ ଦିନ ମଜୁରୀଆ ଭାବରେ କାମକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ତାଙ୍କ ପତ୍ନୀ ସଚଳା ମାଝିଙ୍କ ସହିତ ତାଙ୍କର ଦୁଇ ପୁଅ ଅଛନ୍ତି । ଶୁକ୍ରବାର ସକାଳ ସମୟରେ ଜଙ୍ଖିରା ନିକଟରେ ଏକ ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଥିଲା । ନାକଫୋଡି ମାଝି ଗୋଟିଏ ହାତରେ କଟୁରୀ ଏବଂ ଅନ୍ୟ ହାତରେ ପତ୍ନୀର କଟାମୁ୍ଣ୍ଡ ଧରି ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଚାଲିଚାଲି ଯୋରନ୍ଦା ଫାଣ୍ଡିକୁ ଯାଉଥିବାବେଳେ ଲୋକମାନେ ତାକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାକଫୋଡିକୁ କାବୁ କରିବା ପରେ ଘଟଣା ପଦାକୁ ଆସିଥିଲା । ଚନ୍ଦ୍ରଶେଖରପୁର ଗ୍ରାମର ନାକଫୋଡି ମାଝି ନିଜ ପତ୍ନୀଙ୍କ ପରକ୍ରୀୟା ପ୍ରୀତିକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ଏକ ଧାରୁଆ କଟୁରୀରେ ତାକୁ ହତ୍ୟା କରିବା ସହିତ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ପରେ ସେହି କଟାମୁଣ୍ଡକୁ ଧରି ଚନ୍ଦ୍ରଶେଖରପୁର ଗ୍ରାମରୁ ଦୀର୍ଘ ୧୨ କିଲୋମିଟର ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜଙ୍ଖିରା ନିକଟରେ ଲୋକମାନେ ଏହା ଦେଖି ତାକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ନାକଫୋଡିକୁ ଅଟକ ରଖି ପଚରା ଉଚରା କରିବା ପରେ ନାକଫୋଡି ନିଜର ଦୋଷ ସ୍ୱୀକାର କରିଥିଲା । ନିଜ ପତ୍ନୀର ଚରିତ୍ରକୁ ସନେ୍ଦହ କରି ଏଭଳି କରିଥିବାର ସେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲା । ପୁଲିସ ତାକୁ ଗିରଫ କରିବା ସହ ଏସଂକ୍ରାନ୍ତରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *