ହଟିବ କାଟ୍ସା କଟକଣା

ଏସ୍-୪ଠଠ ଡିଲ୍ ସତ୍ତ୍ୱେ ଭାରତକୁ ୟୁଏସ୍ ସଂସଦର ସମର୍ଥନ
ୱାଶିଂଟନ୍ (ଏଜେନ୍ସି): ଆମେରିକା ପକ୍ଷରୁ ଭାରତ ଉପରେ ଲାଗୁ କରାଯାଇଥିବା ଅନ୍ତର୍ଜାତୀୟ ପ୍ରତିବନ୍ଧକ ବା କଟକଣାଗୁଡ଼ିକୁ ହଟାଇବା ପ୍ରସ୍ତାବକୁ ଆମେରିକା ସଂସଦ କଂଗ୍ରେସ ସମର୍ଥନ କରିଛି । ଏସମ୍ପର୍କୀତ ଆଗତ ବିଧେୟକ ସଂଶୋଧନ ପ୍ରସ୍ତାବ “ହାଉସ୍ ଅଫ୍ ରିପ୍ରେଜେଣ୍ଟିଭ୍’ରେ ବାଚନିକ ଭୋଟ୍ ମାଧ୍ୟମରେ ଅନୁମୋଦନ ହାସଲ କରିଛି । ତେବେ ଏହା ଭାରତ ପାଇଁ ଏକ ବୃହତ୍ ଉପଲବ୍ଧି ତଥା ବିଜୟ ଭାବେ ବିବେଚନା କରାଯାଉଛି । ଆମେରିକା ସଂସଦର ଏପ୍ରକାର ନିଷ୍ପତ୍ତି ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଭାରତର ଦବ୍ଦବା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ବାରମ୍ବାର ବାରଣ ସତ୍ତ୍ୱେ ଭାରତ, ରୁଷ୍ ଠାରୁ ମିସାଇଲ୍ ପ୍ରତିରକ୍ଷା ସିଷ୍ଟମ୍ ଏସ୍-୪ଠଠ କିଣିବା ପରେ ଉତ୍କ୍ଷିପ୍ତ ହୋଇପଡିଥିବା ଆମେରିକା, ଭାରତ ଉପରେ କେତେକ କଟକଣା ଲାଗୁ କରିଥିଲା । ରୁଷ୍-ଆମେରିକା ପରସ୍ପର ପ୍ରତି ଶତ୍ରୁତା ମନୋଭାବ ପୋଷଣ କରିଆସୁଥିବା ବେଳେ ଆମେରିକା, ଭାରତକୁ ରୁଷ୍ ଠାରୁ ଏହି ପ୍ରତିରକ୍ଷା ପ୍ରଣାଳୀ (ଏସ୍-୪ଠଠ) କ୍ରୟ ନକରିବାକୁ ବାରମ୍ବାର ବାରଣ କରିଥିଲା । କିନ୍ତୁ ଭାରତ, ରୁଷ୍ ସହ ନିଜ ବନ୍ଧୁତା ପରିପ୍ରେକ୍ଷୀରେ ଏହି ଡିଲ୍କୁ ପୂରଣ କରିବା ଦିଗରେ ଅଗ୍ରସର ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଗ ପଛ ବିଚାର ନକରି ଆମେରିକା ସରକାର, ଭାରତ ଉପରେ କେତେକ ଅନ୍ତର୍ଜାତୀୟ କଟକଣା ଲାଗୁ କରିଦେଇଥିଲେ । ତେବେ ଆମେରିକା ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ଆମେରିକା ସଂସଦ ପ୍ରଥମରୁ ହିଁ ସମର୍ଥନ କରିନଥିଲା । ସଦ୍ୟ ପ୍ରାପ୍ତ ସୂଚନାନୁସାରେ ଆମେରିକା ସଂସଦ, ଭାରତ ଉପରେ ଲାଗୁ କରାଯାଇଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ବହୁମତ ଦେଇଛନ୍ତି । ଏସମ୍ପର୍କୀତ ଆଗତ ପ୍ରସ୍ତାବ ଉପରେ ଆମେରିକା ସଂସଦରେ ଆଲୋଚନା ହୋଇଥିବା ବେଳେ ଅଧିକାଂଶ ସାଂସଦ, ଭାରତର ନୀତିକୁ ସମର୍ଥନ କରିବା ଦେଖିବାକୁ ମିଳିଛି । ଏହି କ୍ରମେ ଆମେରିକା ସଂସଦରେ ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ୍ ଆକ୍ଟ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରକାଶ, ଏପ୍ରକାର ଏକ ପ୍ରସ୍ତାବକୁ ଆମେରିକା ସଂସଦରେ ଆଗତ କରିଛନ୍ତି ଭାରତୀୟ-ଆମେରିକା ସାଂସଦ ରୋ ଖାନ୍ନା । ରାଷ୍ଟ୍ରପତି ଜୋ ବାଇଡନ୍ ସରକାରଙ୍କୁ ରୋ, ନିଜ ପ୍ରସ୍ତାବ ମାଧ୍ୟମରେ ଅପିଲ୍ କରିଥିଲେ ଯେ, ଚୀନ୍ ଭଳି ଆକ୍ରାମକ ଦେଶକୁ ଟକ୍କର ଦେବା ପାଇଁ ହେଲେ ଭାରତ ସହ ଆମେରିକା ସୁସମ୍ପର୍କ ରଖିବା ଅତ୍ୟନ୍ତ ଜରୁରି । ସୁତରାଂ ଭାରତକୁ ସିଏଏଟିଏସ୍ଏରୁ ବାଦ୍ଦେବା ଜରୁରି । ରୋ’ ଖନ୍ନାଙ୍କ ଅନୁସାରେ ସମଗ୍ର ବିଶ୍ୱରେ ବିସ୍ତାରବାଦୀ ନୀତିକୁ କାର୍ଯ୍ୟକାରୀ କରିବାର ମନ୍ଦ ଉଦେ୍ଦଶ୍ୟ ରଖୁଥିବା ଚୀନ୍କୁ ମୁକାବିଲା କରିବା ପାଇଁ ଆମେରିକାକୁ ଭାରତର ସମର୍ଥନର ଆବଶ୍ୟକତା ରହିଛି । ସେହିପରି ଅନେକ ବର୍ଷ ଧରି ଭାରତ-ଚୀନ୍ ତିକ୍ତତା ଲାଗିରହିଛି । ଶତ୍ରୁର ଶତ୍ରୁ… ନିଜର ବନ୍ଧୁ ନୀତିରେ ଚୀନ୍ ବିରୋଧୀ ଲଢ଼େଇରେ ଆମେରିକାକୁ ଭାରତର ଏବଂ ଭାରତକୁ ଆମେରିକାର ସମର୍ଥନର ଯୁକ୍ତିଗତ ଆବଶ୍ୟକତା ରହିଛି । ଏପରିସ୍ଥିତିରେ ଭାରତକୁ ଅସନ୍ତୁଷ୍ଟ କରିବା ଆମେରିକା ପାଇଁ କଦାପି ଶୁଭଙ୍କର ହେବ ନାହିଁ । ସୁତରାଂ ସାମୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ବିରୋଧରେ ଆମେରିକା ଜାରି କରିଥିବା “କାଉଣ୍ଟରିଂ ଆମେରିକାଜ୍ ଆଜଭର୍ସରିଜ୍ ଥ୍ରୁ ସାଙ୍କସନ୍ ଆକ୍ଟ (ସିଏଏଟିଏସ୍ଏ)’ କଟକଣାକୁ ହଟାଯିବା ଉଚିତ୍ । ଏହାଦ୍ୱାରା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ତଥା ଭାଗିଦାରିତା ଆହୁରି ମଜବୁତ୍ ହୋଇପାରିବ । ସୂଚନାଯୋଗ୍ୟ, ଭାରତ ୨ଠ୧୮ରେ ରୁଷ୍ ସହ ୫ ଆରବ ଡଲାରର ଏକ ପ୍ରତିରକ୍ଷା ସାମଗ୍ରୀ କ୍ରୟଜନିତ ଚୁକ୍ତି କରିଥିଲା । ଏହି ଚୁକ୍ତି ଅନ୍ତର୍ଗତ ରୁଷ୍ ନିଜର ଶକ୍ତିଶାଳୀ ଆଣ୍ଟି ମିସାଇଲ ପ୍ରଣାଳୀ ଏସ୍-୪ଠଠର ୫ଟି ୟୁନିଟ୍ ଭାରତକୁ ହସ୍ତାନ୍ତର କରିବାକୁ ଅଛି । ୨ଠ୨୩ ଏପ୍ରିଲ ସୁଦ୍ଧା ରୁଷ୍ ଏହି ୫ ୟୁନିଟ୍ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍ ଏସ୍-୪ଠଠକୁ ଭାରତକୁ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବ ବୋଲି ଆଶା କରାଯାଉଛି । ଏହି ପ୍ରତିରକ୍ଷା ମିସାଇଲ ପ୍ରଣାଳୀର ୪ଠଠ କିମି ଦୂରତାରେ ହିଁ ଶତ୍ରୁପକ୍ଷର ଯେକୌଣସି ମିସାଇଲ, ଡ୍ରୋନ୍ ଏବଂ ଏୟାରକ୍ରାଫ୍ଟକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେବାର ସାମର୍ଥ୍ୟ ରହିଛି । ପ୍ରକାଶ, ୨ଠ୧୪ରେ ରୁଷ୍ ପକ୍ଷରୁ କ୍ରିମିଆ ଉପରେ ଆକ୍ରମଣ ତଥା କବ୍ଜା କରାଯିବା ଏବଂ ୨ଠ୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ର ହସ୍ତକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ସରକାର “କାଉଣ୍ଟରିଂ ଆମେରିକାଜ୍ ଆଜଭର୍ସରିଜ୍ ଥ୍ରୁ ସାଙ୍କସନ୍ ଆକ୍ଟ (ସିଏଏଟିଏସ୍ଏ)’ ଭଳି ଏକ ଆଇନ୍ ପ୍ରଣୟନ କରିଥିଲେ । ଏଥିରେ ରୁଷ୍ ଠାରୁ ପ୍ରତିରକ୍ଷା ତଥା ଗୁଇନ୍ଦାଗିରି ଉପକରଣ କ୍ରୟ କରୁଥିବା ଯେକୌଣସି ଦେଶ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆମେରିକା ସରକାର ତଥା ପ୍ରଶାସନକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *