ଦୁଇ-ତୃତୀୟାଂଶ ଭୋଟ୍ରେ ଜିତିବେ ଦ୍ରୌପଦୀ!

ନୂଆଦିଲ୍ଲୀ, ୧୫ା୭: ଗତମାସରେ ବିରୋଧୀ ଦଳମାନଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ବ୍ୟାପକ ମନ୍ଥନ ପରେ ରାଷ୍ଟ୍ରପତି ପଦ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍ସି ନେତା ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯିବା ବେଳେ ମନେ ହେଲା ଏଥର ରାଷ୍ଟ୍ରପତି ନିର୍ବାଚନ ବେଶ୍ ରୋଚକ ହେବ । କିନ୍ତୁ ନିର୍ବାଚନ ପାଖେଇ ଆସିବା ସହ ସିହ୍ନା ପ୍ରତିଦ୍ୱନ୍ଦ୍ୱିତାରେ ଆଉ ନାହାନ୍ତି କହିଲେ ଚଳେ । ନାମାଙ୍କନ ଦାଖଲ କରିଥିବାରୁ ସେ ଲଢିବାକୁ ସତେ ଯେମିତି ବାଧ୍ୟ ହେଉଛନ୍ତି । ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ବିରୋଧୀ ଦଳ ସିହ୍ନାଙ୍କ ଠାରୁ ମୁହଁ ଫେରାଇ ନେବା ଦେଖାଯାଉଛି । ଏପରିକି ସିହ୍ନାଙ୍କ ଗୃହରାଜ୍ୟ ଝାରଖଣ୍ଡରେ କ୍ଷମତାସୀନ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ମଧ୍ୟ ସିହ୍ନାଙ୍କୁ ହତାଶ କରିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କଂଗ୍ରେସ ଓ ଆର୍ଜେଡି ସହଯୋଗରେ ସରକାର ଚଳାଉଥିଲେ ହେଁ ଆଦିବାସୀ ମହିଳା ପ୍ରାର୍ଥୀ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ମୋଟାମୋଟିଭାବେ ବିଜେପିର ଆଦିବାସୀ କାର୍ଡରେ ବିରୋଧୀ ମେଣ୍ଟ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ସିହ୍ନା ପ୍ରାର୍ଥୀ ହେବା ପୂର୍ବରୁ ଯେଉଁ ଦଳରେ ଥିଲେ, ସେହି ପାର୍ଟି (ତୃଣମୂଳ କଂଗ୍ରେସ) ଦ୍ରୌପଦୀଙ୍କ ପାଇଁ ଅନୁତାପ କରୁଛି । ଦ୍ରୌପଦୀଙ୍କ ନାମ ଘୋଷଣା ପରେ ମମତା ବାନାର୍ଜୀ ସିହ୍ନାଙ୍କୁ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଆସିବା ପାଇଁ ମନା କରିଦେଇଛନ୍ତି । ଏବେ ଯଶୱନ୍ତ ସିହ୍ନାଙ୍କ ପାଇଁ ରାଷ୍ଟ୍ରପତି ନିର୍ବାଚନ କେବଳ ପ୍ରତୀକାତ୍ମକ ହୋଇଯାଇଛି କହିଲେ ଭୁଲ୍ ହେବ ନାହିଁ । ଶୁକ୍ରବାର ସୁଦ୍ଧା ତାଜା ସ୍ଥିତି ଅନୁଯାୟୀ ଯଶୱନ୍ତ ସିହ୍ନା ଅଢ଼େଇ ଲକ୍ଷରୁ ଅଧିକ ଭୋଟ୍ରେ ହାରିବେ, ଅର୍ଥାତ୍ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାୟ ଦୁଇ-ତୃତୀୟାଂଶ ଭୋଟ୍ ପାଇ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ । ଦ୍ରୌପଦୀ ନାମାଙ୍କନ ଦାଖଲ କରିବା ସମୟରେ ତାଙ୍କୁ ୫ଠ ପ୍ରତିଶତ ବା କିଛି ଅଧିକ ଭୋଟ୍ ମିଳିବା ଅନୁମାନ କରାଯାଉଥିଲା । ବିଜେଡି ଏବଂ ୱାଇଏସ୍ଆର୍ କଂଗ୍ରେସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା କ୍ଷଣି ଦ୍ରୌପଦୀଙ୍କ ବିଜୟ ସମ୍ଭାବନା ସୁନିଶ୍ଚିତ ହୋଇଥିଲା । ସଦ୍ୟ ଆକଳନ ଅନୁଯାୟୀ, ଦ୍ରୌପଦୀଙ୍କ ସପକ୍ଷରେ ୬୧%ରୁ ଅଧିକ ଭୋଟ୍ ପଡ଼ିବା ଅନୁମାନ କରାଯାଉଥିବାବେଳେ ସିହ୍ନାଙ୍କୁ କଷ୍ଟେମଷ୍ଟେ ୩୯% ଭୋଟ୍ ମିଳିପାରେ । ଆସନ୍ତା ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏହାର ତିନିଦିନ ପୂର୍ବରୁ ଶୁକ୍ରବାର ଆଉ ଏକ ବିରୋଧୀ ଦଳ ସିହ୍ନାଙ୍କ ଠାରୁ ସମର୍ଥନ କରିନେଇଛି । ଏହି ଦଳର ନାମ ସୁହେଲଦେବ ଭାରତୀୟ ସମାଜ ପାର୍ଟି । ଓମ୍ପ୍ରକାଶ ରାଜଭରଙ୍କ ଏହି ଦଳ ୟୁପିରେ ସମାଜବାଦୀ ପାର୍ଟିର ସହଯୋଗୀ ଭାବେ କାର୍ଯ୍ୟ କରୁଛି । ୟୁପିରେ ଉକ୍ତ ଦଳର ୬ ବିଧାୟକ ଅଛନ୍ତି । ୟୁପିରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ୨ଠ୮ । ଏହି ହିସାବରେ ଦ୍ରୌପଦୀ ୟୁପିରୁ ଆଉ ୧୨୪୮ ଅଧିକ ଭୋଟ୍ ପାଇବା ସୁନିଶ୍ଚିତ ହୋଇଛି ।
ଏଥର ରାଷ୍ଟ୍ରପତି ନିର୍ବାଚନର ନିର୍ବାଚକ ମଣ୍ଡଳରେ ଅଛି ୧ଠ ଲକ୍ଷ ୮୬ ହଜାର ୪୩୧ ଭୋଟ୍ । ସେଥିରୁ ୬ ଲକ୍ଷ ୬୮ ହଜାରରୁ ଅଧିକ ଭୋଟ୍ ଦ୍ରୌପଦୀଙ୍କ ଖାତାକୁ ଯାଇପାରେ । ଫଳତଃ ସିହ୍ନାଙ୍କୁ ଅଢ଼େଇ ଲକ୍ଷରୁ ଅଧିକ ଭୋଟ୍ରେ ପରାଜୟ ସ୍ୱୀକାର କରିବାକୁ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *