ସୀମାନ୍ତବର୍ତ୍ତୀ ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର
ଗୃହରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ
ଭୁବନେଶ୍ୱର, ୧୫ା୭ (ବୁ୍ୟରୋ): ବିଧାନସଭାରେ ମୌସୁମୀ ଅଧିବେଶନ ଜାରି ରହିଛି । ଶୁକ୍ରବାର ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ନୂଆ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହି କ୍ରମରେ ଶୁକ୍ରବାର ବିଧାନସଭାର ଶୂନ୍ୟକାଳରେ ସୀମା ସୁରକ୍ଷା ପ୍ରସଙ୍ଗ ଉଠିଛି । କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳର ଶହ ଶହ ଗାଁ କିଛି ଦିନରେ ଆନ୍ଧ୍ର କବଳକୁ ଚାଲିଯିବ ବୋଲି ବିରାଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକଙ୍କୁ ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଗାଁକୁ କବଳିତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । କୋଟିଆ ଅଞ୍ଚଳର ଶହେରୁ ଉଦ୍ଧ୍ୱର୍ ଗ୍ରାମ ଏହା ଦ୍ୱାରା ପ୍ରଭାବିତ ହେଉଛି । ହେଲେ ରାଜ୍ୟ ସରକାରଙ୍କ ନିକଟରେ ଏନେଇ କିଛି ଖବରନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ବିଷ୍ଣୁ କହିଛନ୍ତି, ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ଏନେଇ କିଛି ଖବର ନଥିବା ଦର୍ଶାଇଛନ୍ତି । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁନାହାନ୍ତି । କେଉଁଠି ଅସୁବିଧା ରହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଷ୍ଣୁଙ୍କୁ ଏକପ୍ରକାର ସମର୍ଥନ ଦେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କୋଟିଆର ବର୍ତ୍ତମାନ ସ୍ଥିତି କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି । ଆନ୍ଧ୍ର ଯେଉଁ ସହାୟତା ରାଶି ଯୋଗାଇ ଦେଉଥିବାର ଅଭିଯୋଗ ହେଉଛି ତାହା କେତେ ସତ୍ୟ ବୋଲି ଶ୍ରୀ ଶତପଥୀ କହିଛନ୍ତି । ସେନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ରାଜ୍ୟ ସରକାରଙ୍କୁ ଉପରୋକ୍ତ ଘଟଣାରେ ଟାର୍ଗେଟ କରିଛନ୍ତି ।
କୋଟିଆରେ କଣ ଚାଲିଛି? କିଛି ଦିନ ତଳେ ୨ ମୁଖ୍ୟମନ୍ତ୍ରୀ କୋଟିଆ ସୀମା ବିବାଦକୁ ନେଇ ଆଲୋଚନା କରିଥିଲେ । ହେଲେ ସେଠାରେ କଣ ଆଲୋଚନା ହୋଇଛି, ତାର କିଛି ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଉନାହିଁ । ତେଣୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖନ୍ତୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ତେବେ ପଟାଙ୍ଗୀ ବିଧାୟକ ପୀତମ ପାଢ଼ୀ କହିଛନ୍ତି, କୋଟିଆର ପ୍ରତ୍ୟେକ କାର୍ଯ୍ୟ ଉପରେ ସରକାରଙ୍କ ନଜର ରହିଛି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ରଖିଥିବା ସେ କହିଛନ୍ତି । ସେପଟେ ଏପ୍ରସଙ୍ଗରେ ସରକାରଙ୍କର ଏମିତି କିଛି ଅଭିଯୋଗ ଦୃଷ୍ଟିଗୋଚର ହୋଇନାହିଁ । ଯଦି ସେଭଳି କିଛି କାର୍ଯ୍ୟକାଳପ ନଜରକୁ ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।