ଚାଲିପାରିଲାନି ଗୃହ

ଭୁବନେଶ୍ୱର, ୧୪ା୭ (ବୁ୍ୟରୋ): ସ୍ୱାଭାବିକ ହୋଇପାରୁନି ଗୃହ । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବାରମ୍ବାର ବିଜେପି କର୍ମୀଙ୍କ ପ୍ରତିବାଦ ସକାଶେ ଗୁରୁବାର ବାରମ୍ବାର ମୂଲତବୀ ହୋଇଛି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ହିଁ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧରେ ନାରାବାଜୀ କରିବା ସହ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଉକ୍ତ ଘଟଣାକୁ କଂଗ୍ରେସ ସଦସ୍ୟ ମଧ୍ୟ ପ୍ରତିବାଦ କରିବାରୁ ଗୃହ ଅଶାନ୍ତ ହୋଇଥିଲା । ପ୍ରାରମ୍ଭରୁ ଏପରିସ୍ଥିତି ଉପୁଜିବାରୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ପୂର୍ବହ୍ନ ୧୧ଟା ୩୦ ଯାଏଁ ଗୃହ ମୂଲତବୀ କରିଥିଲେ । ପରେ ଉକ୍ତ କାରଣ ସକାଶେ ଗୃହକୁ ଅପରାହ୍ନ ୪ଟା ଯାଏ ମୂଲତବୀ କରାଯାଇଥିଲା । ହେଲେ କିଛି ନିଷ୍କର୍ସ ପ୍ରକାଶ ପାଇନଥିଲା ।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନେଇ କଂଗ୍ରେସ ନେତା ଅଜୟ କୁମାର ଯେଉଁ ଟିପ୍ପଣୀ ଦେଇଛନ୍ତି ତାହାକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି । ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍‌ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ । ଅଜୟ କୁମାର କହିଛନ୍ତି, ମୋଦୀ ସରକାର କେବଳ ପ୍ରତୀକ ଦ୍ୱାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି । କିନ୍ତୁ ସେ କ’ଣ କରିଛନ୍ତି । ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ ।
ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି । ତେବେ ବିଜେପି ଏହାର କଡ଼ା ଜବାବ ଦେଇଛି । କଂଗ୍ରେସ ଏଭଳି ବୟାନ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ଦାବି କରିଛି ।
କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାର ପ୍ରଶ୍ନ ଓ ଶୂନ୍ୟ କାଳ ମୂଲତବୀ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରାଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ୍ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲ୍ରେ ଦର୍ଶାଯାଇଥିଲା । କିନ୍ତୁ ସେ ସେହି ବିଲ୍ ଫେରାଇ ଦେଇଥିଲେ । ସେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ସେ ପୁଣି କହିଛନ୍ତି, ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିଜେପି ଦାବି କରିଛି ।
ସେପଟେ ଶୂନ୍ୟକାଳରେ ନରସିଂହ ମିଶ୍ର ବିଜେପିକୁ କାଉଣ୍ଟର କରି କହିଛନ୍ତି, “ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିରୋଧରେ ଆଲୋଚନା କରିବା ଆମ ବିଧାନସଭା ନୀତି ବିରୋଧୀ । ପୂର୍ବ କଥା ମନେ ପକାଇ ବିଜେପିକୁ ସମାଲାଚନା କରିଛନ୍ତି ନରସିଂହ । ମୁଁ ବି ଏକ ପେପର କଟିଂ ଗୃହରେ ପଢୁଥିଲି, ସେତେବେଳେ ବିରାଧୀ ଦଳ ଉପନେତା ବିରୋଧ କରିଥିଲେ । ଏବେ କାହିଁକି ବିଜେପି ସମାନ କଥା ଦୋହରାଉଛି । ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କିନ୍ତୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । ବିଜେପି ଯେଉଁକଥା ଉଠାଇ ବିକ୍ଷୋଭ କରୁଛି, ସେଥିରେି କୌଣସି ଆପତ୍ତିଜନକ ମନ୍ତବ୍ୟ ନାହିଁ । ଏହି ସମୟରେ ବିଜେପି ବିଧାୟକ ପୁଣି ଥରେ ହୋ ହାଲ୍ଲା କରିବାରୁ ଗୃହ କାର୍ଯ୍ୟ ଚାଲିପାରି ନଥିବା ସେ କହିଛନ୍ତି ।
ଅନ୍ୟପଟେ ବିଜେପି କଂଗ୍ରେସର ଏହି ଲଢେଇ ପରେ ଶାସକ ଦଳ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ବ୍ୟକ୍ତିଗତ ଭାବେ କାହାକୁ ଆକ୍ଷେପ କରିବା ଠିକ ନୁହେଁ । ବିରୋଧୀ ତୁ ତୁ ମେ ମେ ଛାଡନ୍ତୁ ଓ ଗୃହ କାର୍ଯ୍ୟ ସ୍ୱାଭାବିକ ହେଉ । ପ୍ରଶ୍ନକାଳ ବାତିଲ କରିବା ଠିକ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *