ସଙ୍କଟରେ ମହାନଦୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ଜୀବନରେଖା କୁହଯାଉଥିବା ମହାନଦୀର ସ୍ଥିତି ଏବେ ସଙ୍କଟାପନ୍ନ ରହିଛି । ରାଜ୍ୟରେ କିଛି ନଦୀବନ୍ଧ ପୁରୁଣା ହେଲାଣି, ୫୦ବର୍ଷରୁ ଅଧିକ ହେଲାଣି ଏବଂ କିଛି ବିପଦ ସ୍ଥିତିରେ ରହିଛି । ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିଛି । ଫଳରେ ମହାନଦୀରେ ଜଳ ସଙ୍କଟ ସୃଷ୍ଟି ହୋଇଛି । ଭବିଷ୍ୟତରେ ମହାନଦୀ ଜଳସ୍ତର ବ୍ୟାହତ ହେବ । ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟ ବିବାଦ ଲାଗି ରହିଛି । ରାଜ୍ୟର ପାଖାପାଖି ୫ ଗୋଟି ନଦୀବନ୍ଧ ବିପଦ ସ୍ଥିତିରେ ରହିଛି । ଆବଶ୍ୟକୀୟ ସୁଦୃଢୀ କରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବର୍ଷାଋତୁ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
ମହାନଦୀ ସମ୍ପର୍କରେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ପ୍ରଶ୍ନ କରିଥିଲେ । ନଦୀବନ୍ଧଗୁଡିକରେ ମରାମତି ଓ ରକ୍ଷଣାବେକ୍ଷଣ ନେଇ ସରକାର କେଉଁ ପଦକ୍ଷେପ ନେଇଛନ୍ତି । ସେହିଭଳି ସମୁଦାୟ କେତେ ସୁଇସ୍ ଗେଟ ଅଛି ଓ କେତେ ଗେଟ୍ର ମରାମତି ଦରକାର ରହିଛି । ସବୁ ନଦୀବନ୍ଧ ଓ ସୁଇସ୍ ଗେଟ ଗୁଡିକର ମରାମତି କାର୍ଯ୍ୟ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ଉକ୍ତ ପ୍ରଶ୍ନରେ ଲିଖିତ ଥିବା ନଜରକୁ ଆସିଛି ।
ସୂଚନାଯୋଗ୍ୟ, ଅଣମୌସୁମୀ ସମୟରେ ହୀରାକୁଦଠାରେ ୨୦୨୦-୨୧ ମସିହାରେ ୧.୧୮୫ ଏକର ଫୁଟ ଜଳ ପ୍ରବେଶ ରେକର୍ଡ କରାଯାଇଛି । ଠିକ୍ ସେହିପରି ୨୦୨୧-୨୨ ମସିହାରେ ୧.୬୫୩ ଏକର ଫୁଟ ଜଳ ପ୍ରବେଶ କରୁଥିବା ରେକର୍ଡ ହୋଇଛି । ସେପଟେ ରାଜ୍ୟରେ ସମୁଦାୟ ୨୧୩୩ ଗୋଟି ସୁଇସ ଗେଟ ଅଛି ଓ ୧୫୦ ଗୋଟିର ମରାମତି ଦରକାର ପଡ଼ୁଛି । ଏଗୁଡିକର ମରାମତି କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବାର ଲଷ୍ୟ ରଖାଯାଇଛି । ଚଳିତବର୍ଷ ସମ୍ଭାବ୍ୟ ବନ୍ୟା ପ୍ରତିରୋଧ ପାଇଁ ନଦୀବନ୍ଧ ସୁଦୃଢୀକରଣ ଓ ଆବଶ୍ୟକୀୟ ତଟ୍ଟ ସଂରକ୍ଷଣ ନିମନ୍ତେ ନାବାର୍ଡ ସହାୟତାରେ ୫୮ ଗୋଟି ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି ।