ଅର୍ଥ ଫେରସ୍ତ ଦାବିରେ ସାହାରା ଅଫିସ୍ ଘେରାଉ
ଭୁବନେଶ୍ୱର (ବୁ୍ୟରୋ): ଦୀର୍ଘ ୮ ବର୍ଷ ଧରି ଜମାକାରୀମାନେ ସେମାନଙ୍କର ପରିପକ୍ୱ ରାଶି ପାଇଁ ସାହାରା କମ୍ପାନୀକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ବାରମ୍ବାର ପ୍ରତିଶ୍ରୁତି ଓ ତାରିଖ ପରେ ତାରିଖ ଗଡ଼େଇ ସାହାରା କମ୍ପାନୀ ଶାଖା ପରିଚାଳକ, ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକମାନେ ଭୂଆଁ ବୁଲେଇ ଆସୁଛନ୍ତି । ଏହାର ପ୍ରତିବାଦରେ ଗୁରୁବାର ସହିଦନଗରସ୍ଥିତ ସାହାରା ଜୋନାଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ କରିଥିଲେ । ସାହାରା ଜମାକାରୀ ମଞ୍ଚ ଓ ଜମାକାରୀଙ୍କ ମିଳିତ ମଞ୍ଚ ଡାକରାରେ ହଜାର ହଜାର ପ୍ରଭାବିତ ବ୍ୟକ୍ତି ନୂତନ ବିଏମ୍ସି କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ଯାଇ ଜୋନାଲ୍ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରିଥିଲେ ।
ସାହାରା ଜମାକାରୀ ମଞ୍ଚ ଓ ଜମାକାରୀ ମିଳିତ ମଞ୍ଚ ଡାକରାରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ବା କମ୍ପାନୀ ସ୍ତରରେ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ କରାଯାଉନାହିଁ । ଫଳରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜମାକାରୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ଆଗାମୀ ଦିନରେ ଯଦି ଜମାକାରୀମାନେ ଅର୍ଥ ଫେରି ନ ପାଆନ୍ତି ଓ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଏବଂ ସାହାରା କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।