କାଦୁଅ ପଙ୍କ ଭରପୂର ବାଦାମବାଡ଼ି ବସ୍ଷ୍ଟାଣ୍ଡ
କଟକ (ବୁ୍ୟରୋ): ଯେଉଁଆଡ଼େ ଯିବେ ସିଆଡ଼େ କାଦୁଅ ପଚପଚ । ପାଦ ପକାଇବାକୁ ବି ଜାଗା ନାହିଁ । ଏପରିକି ବର୍ଷା ହେଲେ କଥା ସରିଲା । କାଦୁଅ ପଙ୍କରେ ଭର୍ତ୍ତି ହୋଇ ରହିଛି ବସ୍ଷ୍ଟାଣ୍ଡ । ବାଦାମବାଡ଼ିର ଅନୁଗୋଳ-ପାରଦୀପ ବସ୍ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ୁଛି । ବର୍ଷା ପାଣି ଜମି ରହି ପଙ୍କ କାଦୁଅରେ ବସ୍ଷ୍ଟାଣ୍ଡର ମୁଖ୍ୟପଥ ଯିବାଆସିବା ରାସ୍ତା ଭର୍ତ୍ତି ହୋଇଯାଇଛି । ଏନେଇ ଅଭିଯୋଗ ପାଇବା ପରେ ଗ୍ରାଉଣ୍ଡ ଜିରୋ ପହଞ୍ଚି ମେୟର ଓ କମିଶନର ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହ ୧୫ ଦିନ ଭିତରେ କାଦୁଅ ହଟିବାକୁ ନିଦେ୍ର୍ଦଶ ଦେଇଛନ୍ତି ମେୟର ସୁବାଷ ସିଂ । ଦରକାର ପଡ଼ିଲେ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରି ସମସ୍ୟାର ସମାଧାନ କରାଯିବ । ହେଲେ କୌଣସି ଅବସ୍ଥାକୁ ଛାଡ଼ିଦେଇ ପାରିବାନି ବୋଲି ମେୟର ଶ୍ରୀ ସିଂ କହିଛନ୍ତି । ନିକଟ ଭବିଷ୍ୟତରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ସିଏମ୍ସି ମେୟର ।
ଉଲ୍ଲେଖ ଯୋଗ୍ୟ, ବାଦାମବାଡ଼ିକୁ ସହରର ମୁଖଶାଳା ବିବେଚନା କରାଯାଏ । ଏଠାରେ ପ୍ରତ୍ୟେକ ଦିନ ଦୂରଦୂରାନ୍ତରୁ ପ୍ରାୟ ୫ ହଜାରରୁ ଊଦ୍ଧ୍ୱର୍ ଯାତ୍ରୀ ଯାଆସ କରିଥାନ୍ତି । ମାତ୍ର ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୋଳ- ପାରାଦୀପ ବସ୍ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ପାଣି ଜମି ରହି ପଙ୍କ କାଦୁଅରେ ବସ୍ଷ୍ଟାଣ୍ଡର ମୁଖ୍ୟ ଯିବାଆସିବା ରାସ୍ତା ଭର୍ତ୍ତି ହୋଇଯାଇଛି । ଏଭଳି ସ୍ଥିତିରେ ଉକ୍ତ ରାସ୍ତା ଦେଇ ବସ୍ ଯାଇପାରୁନି । ଫଳରେ ବସ୍ ଯେଉଁ ବାଟେ ପ୍ରବେଶ କରୁଛି ସେହି ବାଟେ ହିଁ ପ୍ରସ୍ଥାନ କରୁଛି । ଯାଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟାଣ୍ଡରେ କାଦୁଆ ଭରି ରହିଥିବା ବେଳେ ଯାତ୍ରୀମାନେ ଷ୍ଟାଣ୍ଡ ଭିତରକୁ ନ ଯାଇ ଜୀବନକୁ ବାଜି ଲଗାଇ ବାଦାମବାଡ଼ିର ଗହଳିପୂର୍ଣ୍ଣ ରାସ୍ତା ଉପରେ ବସ୍ରେ ଚଢ଼ିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଅନେକ ଯାତ୍ରୀ ନିଜର ଜିନିଷ ପତ୍ର ଛୋଟ ଛୋଟ ଛୁଆମାନଙ୍କୁ ନେଇ ବସ୍ ଚଢ଼ିବା ବେଳେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ବସ୍ଷ୍ଟାଣ୍ଡର ରକ୍ଷଣାବେକ୍ଷଣା ଦାୟିତ୍ୱ ରାଜ୍ୟ ପରିବହନ ବିଭାଗର ଥିବା ପ୍ରତିଦିନ ବସ୍ ପିଛା ୧୫ ଟଙ୍କା ଆଦାୟ କରାଯାଏ । ମାତ୍ର ବିଭାଗ ପକ୍ଷରୁ ବିଗତ ୩ ବର୍ଷ ଧରି ଷ୍ଟାଣ୍ଡ ମରାମତି କାମ କରାଯାଇ ନାହିଁ । ୨୦୧୯ରେ ବିଭାଗ ପକ୍ଷରୁ ବସ୍ଷ୍ଟାଣ୍ଡ ମଧ୍ୟରେ ଥିବା ଖାଲଖମାକୁ କେବଳ ପ୍ୟାଚ ପକାଇ ମରାମତି କରାଯାଇଥିଲା । ଦୀର୍ଘଦିନ ଧରି ମରାମତି କରା ନଯିବା କାରଣରୁ ଏବେ ଷ୍ଟାଣ୍ଡ ମଧ୍ୟରେ ୧ ଫୁଟରୁ ୨ ଫୁଟ ଗଭୀର ଖାଲଖମା ହୋଇ ସେଥିରେ ପାଣି କାଦୁଅ ଭରି ହୋଇ ରହୁଛି । ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଖାଲି ବସ୍ଷ୍ଟାଣ୍ଡ କାହିଁକି ବସ୍ଷ୍ଟାଣ୍ଡରେ ଥିବା ବିଶ୍ରାମଗାର କଥା ନ କହିବା ଭଲ । ପ୍ରାୟ ୧୫ ଦିନ ହେବ ବିଶ୍ରାମଗାର ସଫା ହୋଇନଥିବା ବେଳେ ଏହା ଅପରିଷ୍କାର ଭାବେ ପଡ଼ି ରହିଛି । ଫଳରେ ସେଠାରେ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶଷ ସୃଷ୍ଟି ହେଉଛି । ଏବେ ବର୍ଷା ଦିନ ଥିବାରୁ ରାସ୍ତାରେ ଯାଉଥିବା ଲୋକ ଓ ଯାତ୍ରୀମାନେ ସାଧାରଣତଃ ବର୍ଷାରୁ ରକ୍ଷା ପାଇଁ ବିଶ୍ରାମଗାରରେ ଛିଡ଼ା ହୋଇପଡ଼ୁଛନ୍ତି । କିନ୍ତୁ ବିଶ୍ରାମଗାର ଅପରିଷ୍କାର ଭାବେ ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।