୪ଠଠ ଏକର ଜମିରେ ମାଡ଼ିଗଲା ଲୁଣା ପାଣି
ଋାଜନଗର (ଆପ୍ର): ପାଟ୍ଟଶାଳା ନଦୀର ଜୁଆର ପାଣି ଆଜି ବନ୍ଧ ଡେଇଁ ଭେଡ଼ାକୁ ପଶିଛି । ପଟ୍ଟଶାଳା ନଦୀର ଉଚ୍ଚ ଜୁଆର ପାଣି ବନ୍ଧ ଡେଇଁ ଭେଡ଼ାରେ ଥିବା ଚାଷ ରଙ୍ଗଣୀ ପଞ୍ଚାୟତ ପଟ୍ଟାପାରିଆ ଓ ଭେକ୍ଟା ମୌଜାର ପ୍ରାୟ ୪ଶହ ଏକର ଚାଷ ଜମିକୁ ଲୁଣି ଜୁଆର ପାଣି ମାଡି ଯାଇଛି । ଫଳରେ ଖରିଫ ଧାନ ଚାଷ ପାଇଁ ଚାଷୀମାନେ ତଳି ପକାଇଥିବା ବେଳେ ଲୁଣି ଜୁଆରକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ସୂଚନା ମୁତାବକ ଗତକାଲି ପୂର୍ଣ୍ଣିମା ଥିବା ବେଳେ ଆଜି ପ୍ରତିପଦ ତିଥିରେ ଜୁଆର ପାଣି ବନ୍ଧ ଡେଇଁ ଭେଡ଼ାରେ ପ୍ରବେଶ କରିଥିଲା । ପଟ୍ଟାପାରିଆ ଗାଁର ବିଶ୍ୱାଳ ଛକ ଠାରୁ ଭେକ୍ଟା ଛକ ଯାଏଁ ଘେରି ବନ୍ଧ ଡେଇଁ ଲୁଣି ପାଣି ଭେଡ଼ାରେ ପଶିଛି । ଏହି ୧ କିମି ଘେରି ବନ୍ଧ ମଧ୍ୟରେ ଶିବ ସେଠୀଙ୍କ ଘର ନିକଟରେ, ସ୍ଲୁଇସ୍ ନିକଟରେ ଏବଂ ସୁବିମଳ ଖଟୁଆଙ୍କ ଘର ନିକଟରେ ୩ଟି ସ୍ଥାନରେ ଜୁଆର ପାଣି ବନ୍ଧ ଡେଇଁ ଭେଡା ମଧ୍ୟକୁ ପ୍ରବେଶ କରିଛି । ସେହିପରି ଭେକ୍ଟା ବ୍ରିଜ୍ ନିକଟ ମଞ୍ଜୁ କଳାଙ୍କ ଦୋକାନ ନିକଟରୁ ସରୋଜ ମାଇତିଙ୍କ ଘର ମଧ୍ୟରେ ୨ଟି ସ୍ଥାନରେ ଜୁଆର ପାଣି ବନ୍ଧ ଡେଇଁ ଭେଡ଼ା ମଧ୍ୟକୁ ପ୍ରବେଶ କରି ଚାଷ ଜମିରେ ମାଡି ଯାଇଛି । ଗତ ୟାସ ବାତ୍ୟା ସମୟରେ ଏହି ସ୍ଥାନରେ ମଧ୍ୟ ଲୁଣା ଜୁଆର ପାଣି ଭେଡା ମଧ୍ୟରେ ପ୍ରବେଶ କରିଥିଲା । ତଟବନ୍ଧ ବିଭାଗର ଅଧିକାରୀମାନେ ଏ ନେଇ ଦୃଷ୍ଟି ନଦେବାରୁ ଆଜି ଏପରି ଅବସ୍ଥା ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।