୧୮+ଙ୍କୁ ମାଗଣା ବୁଷ୍ଟର୍ ଡୋଜ୍
ଜୁଲାଇ ୧୫ରୁ ୭୫ ଦିନ ଟିକାକରଣ
ନୂଆଦିଲ୍ଲୀ, ୧୩ା୭: ଦେଶରେ ୧୮ରୁ ୫୯ ବୟସ ବର୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କୁ କରୋନାର ବୁଷ୍ଟର ଡୋଜ୍ ମାଗଣାରେ ମିଳିବ । ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି ଯେ, ଚଳିତ ମାସ ୧୫ ତାରିଖରୁ ୭୫ ଦିନ ପର୍ଯ୍ୟନ୍ତ ଉକ୍ତ ବୟସ ବର୍ଗର ସବୁ ବ୍ୟକ୍ତିଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର (ପ୍ରିକସନ୍) ଡୋଜ୍ ଦିଆଯିବ ।
ବହୁ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସରକାର ଏକ ବିଶେଷ ଅଭିଯାନକ୍ରମେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ୧୮-୫୯ ବୟସ ବର୍ଗର ୭୭ କୋଟି ଲୋକଙ୍କ ମଧ୍ୟରୁ ୧%ରୁ କମ୍ ବୁଷ୍ଟର ଡୋଜ୍ ନେଇଛନ୍ତି । ୬୦ରୁ ଊଦ୍ଧ୍ୱର୍ ବୟସର ପ୍ରାୟ ୧୬ କୋଟି ଲୋକ ଓ ସ୍ୱାସ୍ଥ୍ୟ କର୍ମୀ ତଥା ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ପ୍ରାୟ ୨୬%ଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି ।
ଗତ ସପ୍ତାହରେ କେନ୍ଦ୍ର ସରକାର କୋଭିଡ୍ ଟିକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଅନ୍ତରାଳକୁ ୯ ମାସରୁ ୬ ମାସକୁ କମାଇ ଦେଇଥିଲେ । ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ସୁପାରିସକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
ଦେଶରେ ମଙ୍ଗଳବାର ୧୬,୧୦୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସୋମବାର ତୁଳନାରେ ଏହା ୫,୩୯୨ ଅଧିକ । ଇତିମଧ୍ୟରେ ଗତ ୨୪ ଘଣ୍ଟାରେ କରୋନା ମୃତୁ୍ୟ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି ।