ସଂକ୍ରମଣ ବଢ଼ୁଛି, ମାସ୍କ୍‌ ପିନ୍ଧ

ଭୁବନେଶ୍ୱର, ୧୩ା୭ (ବୁ୍ୟରୋ): ରାଜ୍ୟରେ କୋଭିଡ ସଂକ୍ରମଣରେ ଅହେତୁକ ବୃଦ୍ଧି ନଜରକୁ ଆସିଛି । ପ୍ରତିଦିନ ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ଏହି ସ୍ଥିତିରେ ସଂକ୍ରମଣ ଏଡ଼ାଇବାକୁୂ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ବର୍ତ୍ତମାନ ସମୟକୁ ଦେଖି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ଆମକୁ ପୂର୍ବ ପରି ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମହାମାରୀ ବିପଦ ଏଯାଏ ଟଳିନାହିଁ । ସଂକ୍ରମଣରୁ ନିଜ ସହ ଅନ୍ୟକୁ ସୁରକ୍ଷିତ ରଖିବାକୁ ମାସ୍କ ପିନ୍ଧନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହ ନିଜେ ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ।
ସେପଟେ, ରଥଯାତ୍ରା ସରିବା ପରେ ସଂକ୍ରମଣ ବଢ଼ିପାରେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଜନସାଧାରଣ ଫେରିଛନ୍ତି । ସେମାନଙ୍କ ପ୍ରତି ଜିଲ୍ଲା ପ୍ରଶଶସନକୁ ନଜର ରଖିବାକୁ କୁହାଯାଇଛି । ଏବେ କମୁ୍ୟନିଟିରେ ମଧ୍ୟ ପଜିଟିଭିଟି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ କ’ଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯାଉଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀର ଗତିରେ ସଂକ୍ରମଣ ବଢ଼ୁଛି । ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାଁନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ? ଏହାର ଫାଟାଲିଟି କେତେ ତା ଉପରେ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଶ୍ରୀ ମହାପାତ୍ର କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତୁ୍ୟ ହୋଇଛି ।
ତେଣୁ ବେଶୀ ଅନୁସାଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ସେମାନେ ସଚେତନ ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । ଅନ୍ୟ ରାଜ୍ୟରେ ଯେଉଁଭଳି କେସ୍‌ ଖସୁଛି ତାକୁ ଦୃଷ୍ଟିଦେଲେ ଆଗାମୀ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ । ଓଡ଼ିଶାରେ ଏବେ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି । ତେଣୁ ଏହା ବଢ଼ିଲା ପରେ ସମାନ୍ତରାଳ ହୋଇ କିଛି ଦିନ ରହିବ ଓ ପରେ ଧୀରେ ଧୀରେ ଖସିପାରେ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ଶହ ପାର୍‌ କରିଛି । ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନରୁ ଏବଂ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *