ଆଦର୍ଶ ପିଲା ପଢ଼ୁଛନ୍ତି ହାଇସ୍କୁଲ୍ରେ!
ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍ ତିରୁଣା ପଞ୍ଚାୟତ ଦହିପାଳ ଠାରେ ସରକାରଙ୍କ ପକ୍ଷରୁ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି । ୨୦୨୧ ଫେବୃଆରୀ ୮ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ସ୍କୁଲ୍ର ଭିତ୍ତିପ୍ରସ୍ତର କରାଯାଇଥିଲା । ସ୍କୁଲ୍ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ବେଳେ ଠିକାଦାର ଭାବେ ପବିତ୍ର ମୋହନ ନାୟକଙ୍କୁ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଚୁକ୍ତିପତ୍ର ଅନୁସାରେ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟାରମ୍ଭ ୨୦୧୯ ଜୁନ୍ ୨୮ ଏବଂ ନିର୍ମାଣ ଶେଷ ତାରିଖ ୨୦୨୦ ମେ ୨୭ ରହିଥିବା ବେଳେ ବ୍ୟୟ ଅଟକଳ ମୂଲ୍ୟ ୨କୋଟି ୯୮ ଲକ୍ଷ ୮୨ହଜାର ଟଙ୍କା ରହିଥିଲା । କିନ୍ତୁ ପରବର୍ତ୍ତି ସମୟରେ ୨୦୨୧ ଅକ୍ଟୋବର ୨୭ରେ ବିଭାଗ ପକ୍ଷରୁ ଉକ୍ତ ଅର୍ଥକୁ ସଂଶୋଧନ କରାଯାଇ ୯କୋଟି ୯୯ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ବିଦ୍ୟାଳୟ ଗୃହ କାର୍ଯ୍ୟ ଶେଷ ହୋଇନଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାରଙ୍କୁ ପଚାରିବାରୁ ବିଦ୍ୟାଳୟ ଗୃହ ନିର୍ମାଣ ହେଉଥିବା ସ୍ଥାନକୁ ରାସ୍ତାର ସୁବିଧା ନଥିବାରୁ ସାମାଗ୍ରୀ ଆଣିବା ବିଳମ୍ବ ହେଉଛି ବୋଲି ପ୍ରକାଶ କରିଛନ୍ତି । ଏଣୁ ଆସନ୍ତା ଡିସେମ୍ବର ମାସ ଶେଷ ଆଡକୁ ବିଭାଗକୁ ବିଦ୍ୟାଳୟ ଗୃହ ହସ୍ତାନ୍ତର କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।
ଅପରପକ୍ଷେ ଚିଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପ୍ରବେଶିକା ପରୀକ୍ଷା କରାଯାଇ ଅଦ୍ୟାବଧି ୮୧ ଜଣ ପିଲାଙ୍କ ନାମ ଲେଖାଯାଇଛି । ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ ହୋଇ ନ ଥିବାରୁ ପିଲାମାନେ ଅସ୍ଥାୟୀ ଭାବେ ନାଉଗାଁହାଟ ସରକାରୀ ହାଇସ୍କୁଲ୍ରେ କ୍ଲାସ୍ କରୁଥିବା ଜଣାଯାଇଛି । ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ପିଲାମାନେ ଏଠାକୁ ଆସୁଥିବାରୁ ଅନେକ ପଞ୍ଚାୟତର ପିଲାଙ୍କ ପାଇଁ ପଢ଼ିବା ସମସ୍ୟା ସୃଷ୍ଟି କରୁଛି । ଅନେକ ଅଭିଭାବକ ପିଲାମାନଙ୍କୁ ନିଜ ଗାଡିରେ ଆଣୁଥିବା ବେଳେ ଅଧିକାଂଶ ଅଭିଭାବକ ଗାଡ଼ି ଭଡ଼ା କରି ଅଯଥା ଖର୍ଚ୍ଚାନ୍ତ ହେଉଥିବା ଜଣାଯାଇଛି । ତେଣୁ ସ୍କୁଲ୍ ଶ୍ରେଣୀ ଗୃହ ସମେତ ହଷ୍ଟେଲକୁ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି । ଏ ବିଷୟରେ ବିଭାଗୀୟ ସହାୟକ ଯନ୍ତ୍ରୀ ଇଂ.ରମାକାନ୍ତ ମିଶ୍ରଙ୍କୁ ପଚାରିବାରୁ ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି ବୋଲି କହିଛନ୍ତି ।