ଶୂନ୍ୟକାଳରେ କମ୍ପିଲା ଗୃହ
ଆଦିବାସୀ ମହିଳାଙ୍କୁ ଏସ୍ଡିପିଓଙ୍କ ମାଡ଼
ଭୁବନେଶ୍ୱର, ୧୩ା୭ (ବୁ୍ୟରୋ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଏସ୍ଡିପିଓ ମାଡ଼ ମାରିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ବୁଧବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଏହି ଘଟଣାର ତଦନ୍ତ କରିବେ ।
ସୂଚନାଯୋଗ୍ୟ ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣା ନେଇ ଆରମ୍ଭରୁ ବିଧାନସଭା ହୁଲସ୍ତୁଲ ହୋଇଥିଲା । ଗୃହରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ନାରାବାଜି କରିଥିଲେ । ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକମାନେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଥିଲେ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ କାହିଁକି ନିଆଯାଇ ନାହିଁ । ଘଟଣାରେ ଡ଼ାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପାର୍ଟ ଆଣିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବାବେଳେ ମା’କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ଏପରିକି ଘଟଣାରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଂଗ୍ରେସର ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସମେତ ମୋଟ ୧୮ ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡ଼ିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିବାବେଳେ ବିଧାୟକ ସନ୍ତୋଷ ସିଂ ସାଲୁଜା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ସେହିପରି ବିଜେପି ସଦସ୍ୟ ମଧ୍ୟ ଏନେଇ ବିଭିନ୍ନ ଫୋଟା ଦେଖାଇ ଉଦବେଗ ପ୍ରକାଶ କରିଥିଲେ । ପୋଡିଅମ ନିକଟକୁ ଯାଇ ବିଜେପି ସଦସ୍ୟ ମୋହନ ମାଝି ପ୍ରତିବାଦ କରିଥିବାବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ଘଟଣାରେ ଯିଏ ଦାଷୀ ତା ବିରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।
କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ମୁତାବକ ମାଲକାନଗିରିର ଆରଏସସି-୧୩ ଗ୍ରାମରେ ଗତ ଜୁନ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳାମାନଙ୍କୁ ମାଡ ମାରିଥିଲା । କୌଣସି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ବୃଦ୍ଧା, ୧୪ ବର୍ଷର ନାବାଳିକାଙ୍କୁ ପୁଲିସ ମାଡ ମାରିଥିଲା । କଂଗ୍ରେସ ସଦସ୍ୟମାନେ ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ । କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି କହିଥିଲେ ଯେ, ପୁଲିସ କର୍ମଚାରୀମାନେ ମଦ ପିଇ ଆତଙ୍କରାଜ କରିଥିଲେ ।