ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଦ୍ୱିତୀୟ ଦିନିକିଆ: କୋହଲିଙ୍କ ଖେଳିବା ନେଇ ସସ୍ପେନ୍ସ
ଲଣ୍ଡନ, ୧୩ା୭ (ଏଜେନ୍ସି): ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ହରାଇଥିବା ଟିମ୍ ଇଣ୍ଡିଆ ଗୁରୁବାର ଲର୍ଡ୍ସ ଠାରେ ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକକୁ ହରାଇ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଆହତ ଜନିତ କାରଣରୁ ପ୍ରଥମ ମ୍ୟାଚ୍ ଖେଳି ନ ଥିବା ବିରାଟ କୋହଲିଙ୍କ ଦ୍ୱିତୀୟ ମ୍ୟାଚ୍ ଖେଳିବା ନେଇ ସସ୍ପେନ୍ସ ରହିଛି । କୋହଲି ମଧ୍ୟ ଦୀର୍ଘ ଦିନ ହେଲା ଫର୍ମରେ ନାହାନ୍ତି ।
ଭାରତୀୟ ଟିମ୍ ଜୋର୍ଦାର ଫର୍ମରେ ଅଛି । ଭ୍ରମଣକାରୀ ଟିମ୍ ପ୍ରଥମ ମ୍ୟାଚ୍ରେ ବିଶ୍ୱବିଜେତା ଇଂଲଣ୍ଡକୁ ୨୫.୨ ଓଭର୍ରେ ମାତ୍ର ୧୧୦ ରନ୍ରେ ଅଲ୍ଆଉଟ୍ କରିଦେଇଥିଲା । ଏହି ବିଜୟରେ ଭାରତୀୟ ପେସର୍ମାନଙ୍କର ବଡ଼ ଭୂମିକା ଥିଲା । ବୁମ୍ରା ୬ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମୀ ୩ ଓ ପ୍ରସିଦ୍ଧ କ୍ରିଷ୍ଣ ଗୋଟିଏ ୱିକେଟ୍ ନେଇଥିଲେ । ତେଣୁ ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କ୍ଷୀଣ । ଅଧିନାୟକ ରୋହିତ ଶର୍ମା ଆଶା କରିବେ ଯେ ତାଙ୍କ ବୋଲର୍ମାନଙ୍କୁ ଲର୍ଡ୍ସ ପିଚ୍ରୁ ବି ଓଭାଲ୍ ଭଳି ସହାୟତା ମିଳୁ ।
ଓଭାଲ୍ରେ ରୋହିତ ୭୬ ଓ ଶିଖର ଧାବନ୍ ୩୧ ରନ୍ର ଅପରାଜିତ ଇନିଂସ୍ ଖେଳି କୌଣସି ୱିକେଟ୍ ପଡ଼ିବାକୁ ନ ଦେଇ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଏହା ଫଳରେ ଅନ୍ୟ ବ୍ୟାଟର୍ମାନଙ୍କୁ ଓଭାଲ୍ ପିଚ୍ରେ ନିଜକୁ ପରଖିବାର ସୁଯୋଗ ମିଳି ନ ଥିଲା ।
ଏହା ପୂର୍ବରୁ ଭାରତୀୟ ଟିମ୍ ୨-୧ରେ ଟି-୨୦ ଶୃଙ୍ଖଳା ଜିତିଥିଲା । ଟିମ୍ ପାଖରେ ଆଉ ଏକ ଶୃଙ୍ଖଳା ଜିତିବାର ସୁଯୋଗ ରହିଛି । ଟିମ୍ ଅପରିବର୍ତ୍ତିତ ରହିପାରେ । ଫର୍ମରେ ଥିବା ବ୍ୟାଟର୍ ଦୀପକ ହୁଡ଼ାଙ୍କୁ ପୁଣି ଥରେ ବେଞ୍ଚ୍ରେ ବସିବାକୁ ପଡ଼ିପାରେ ।
ଇଂଲଣ୍ଡ ଉପରେ ପ୍ରତ୍ୟାବର୍ତ୍ତନର ଚାପ
ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ କର ବା ମର ଭଳି । ଆଉ ଏକ ପରାଜୟ ସ୍ଥଳେ ଟିମ୍ ହାତରୁ ଶୃଙ୍ଖଳା ଖସିଯିବ । ଅଧିନାୟକ ଜୋସ୍ ବଟ୍ଲର, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜନି ବେଆର୍ଷ୍ଟୋ, ଜାସନ୍ ରୟ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଉପସ୍ଥିତିରେ ଇଂଲିଶ୍ ବ୍ୟାଟିଂ କ୍ରମ ଯେ କୌଣସି ବୋଲିଂ ଆକ୍ରମଣକୁ ପ୍ରତିହତ କରିବାର ସାମର୍ଥ୍ୟ ରଖନ୍ତି; କିନ୍ତୁ ଓଭାଲ୍ରେ ପେସର୍ ଅନୁକୂଳ ସ୍ଥିତିରେ ସେମାନେ ସମସ୍ତେ ବିଫଳ ହୋଇଥିଲେ । ଏପରି ସ୍ଥଳେ ସେମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜଗିରଖି ଖେଳିବାକୁ ହେବ । ବୋଲର୍ମାନଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ । ଲର୍ଡ୍ସ ପିଚ୍ ସାଧାରଣତଃ ବ୍ୟାଟିଂ ଅନୁକୂଳ ହୋଇଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *