ଚାଷୀଙ୍କୁ ସାର ନ ମିଳିବା ଓ କଳାବଜାର ପ୍ରସଙ୍ଗରେ ଗୃହରେ ଉଦ୍ବେଗ

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଚାଷ କାମ ଜୋର ସୋରରେ ଚାଲିଥିବା ବେଳେ ଚାଷୀ ମାନଙ୍କୁ ସାର ଆବଶ୍ୟକତା ଅନୁସାରେ ନ ମିଳିବା, ସାରର କଳାବଜାରୀ ହେବା ଓ ଅଧିକ ଦରରେ ଚାଷୀ ମାନେ କିଣିବାକୁ ବାଧ୍ୟ ହେଉଥିବା ପ୍ରସଙ୍ଗ ବିଧାନସଭାରେ ଉଠିଛି । ବୁଧବାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏହି ପ୍ରସଙ୍ଗରେ ପଚାରା ଯାଇଥିବା ପ୍ରଶ୍ନରେ ଆଲୋଚନା ବେଳେ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଯଦି କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଅଭିଯୋଗ ବିଧାୟକମାନେ ଆଣନ୍ତି ତେବେ କଳବଜାର କରୁଥିବା ଲୋକଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଂଚା ଦେବେ ନାହିଁ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ରାଜ୍ୟ ସରକାରଙ୍କୁ ଯେତେ ପରିମାଣର ସାର ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଉଛନ୍ତି ସେତିକି ପରିମାଣର ସାର କେନ୍ଦ୍ର ସରକାର ଯୋଗାଇ ଦେଉ ନାହାନ୍ତି । ସାରା ବିଶ୍ୱର ସପ୍ଲାଏ ଚେନ ବାଧିତ ହେଉଥିବା କାରଣରୁ ଏପରି ହେଉଛି । ଯାହା ରାଜ୍ୟକୁ ମିଳୁଛି ସେଥିରୁ ସରକାର ଚାଷୀ ମାନଙ୍କୁ ଦେବା ପାଇଁ ସମ୍ପୂର୍ଣ ଯୋଜନା ପ୍ରସ୍ତୁତ କରି କାମ କରୁଛି । ଯଦି କେଉଁଠାରେ କୌଣସି ଡିଲର କଳାବଜାରୀ କରୁଥିବାର ଅଭିଯୋଗ ବିଧାୟକ ମାନେ ଦିଅନ୍ତୁ ତେବେ ତାଙ୍କ ଉପରେ ନିଶ୍ଚିତ ରୂପେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସାର ପଡୋଶୀ ରାଜ୍ୟକୁ ଚାଲି ଯାଉଥିବା ନେଇ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଭାଗର ଅଧିକାରୀଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ କୁହାଯିବ । ବିଧାୟକ ସୁରେଶ ରାଉତରାୟ, ଭାସ୍କର ମଢେଇ, ପ୍ରଦୀପ ଦିସାରୀ, ଅଧିରଞ୍ଜନ ପାଣିଗ୍ରାହୀ, ନବ କିଶୋର ମାଝୀ ଓ ଅନ୍ୟ ବିଧାୟକମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କ ଅଞ୍ଚଳରେ ଚାଷୀଙ୍କ ପ୍ରତି ଆସୁଥିବା ସମସ୍ୟା ଗୁଡିକୁ ଉଠାଇଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *