ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ
ମରଣଯନ୍ତା ପାଲଟିଛି ବାଇଗଣପାଳ ରାସ୍ତା
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଆଦିବାସୀ ଅଧ୍ୟୁଷିତ ଲୋକମାନେ ନିଜ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । ଘଞ୍ଚ ଅରଣ୍ୟ ମଧ୍ୟରେ ଥିବା କାନ୍ତୋଲ ପଞ୍ଚାୟତରେ ରହିଛି ବାଇଗଣପାଳ ଗାଁ । ପ୍ରାୟ ୮୦ରୁ ଅଧିକ ପରିବାର ରହୁଥିବା ଏହି ଗାଁର ଲୋକଙ୍କ ପ୍ରଧାନ ଜୀବିକା ହେଉଛି କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ । ପରିଶ୍ରମ ହିଁ ତାଙ୍କ ପେଟକୁ ଯୋଗାଇଥାଏ ଆହାର । ହେଲେ ସଭ୍ୟତାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ଯାହାକି ଗାଁର ରାସ୍ତାରୁ ସ୍ପଷ୍ଟ । କେନ୍ଦୁଝର ସୀମାକୁ ଲାଗି ରହିଛି ବାହାଡପାଳ, କାନ୍ତୋଲ ପଞ୍ଚାୟତ ଓ ଲାଗି ରହିଛି ବାଇଗଣପାଳ । ଗାଁକୁ ନାହିଁ ରାସ୍ତା କି ପାନୀୟ ଜଳର ସୁବିଧା । ବାହାଡପାଳ- ବାଇଗଣପାଳ ମୁଖ୍ୟ ରାସ୍ତାଟି ଏବେ ମରଣଜନ୍ତା ପାଲଟିଛି । କଙ୍କଡାହାଡ଼ ଠାରୁ ବାହାଡ଼ପାଳକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବାବେଳେ କେନ୍ଦୁଝର ସୀମାଠାରୁ ବେଣାମୁଣ୍ଡାକୁ ସଂଯୋଗ ହୋଇଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା । ମାତ୍ର ବାହାଡ଼ପାଳଠାରୁ କେନ୍ଦୁଝର ସୀମା ଯାହାକି ୩ କିଲୋମିଟର ପଡିଥିବାବେଳେ ଏଯାଏ ସଂଯୋଗ ହୋଇ ପାରିଲା ନାହିଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା । ଟିକେ ବର୍ଷା ହୋଇଗଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ । ବହୁ କଷ୍ଟରେ କାଦୁଅ ଚିପି ଚିପି ଲୋକଙ୍କୁ ଯିବାକୁ ପଡ଼େ । ନାଁ ଏଥିପ୍ରତି ନିଘାଅଛି ପ୍ରଶାସନର ନା ରାଜନେତାଙ୍କ ଚିନ୍ତା ।
ଖରା ସମୟରେ ପ୍ରଶାସନିକ ଅଧିକାରୀମାନେ ଏକୁଲୁ, ପୁଟିପାଳ ଅଭିମୁଖେ ସେହିବାଟ ଦେଇ ଯାଇଥାନ୍ତି କିନ୍ତୁ କେବେ ବାଇଗଣପାଳ ରାସ୍ତାକୁ ଦୃଷ୍ଟି ଦିଅନ୍ତି ନାହିଁ । ଗାଁକୁ ରାସ୍ତା ନଥିବାରୁ ବହୁ କଷ୍ଟରେ କୁନି କୁନି ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି । କୁନି କାନ୍ଧର ବସ୍ତାନୀ ବୋଝ ଠାରୁ ରାସ୍ତାର କଷ୍ଟ ସେମାନଙ୍କ ପାଇଁ ବାଧକ ସାଜିଛି । ତେଣୁ ଗାଁରେ ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ଆଉ ଏହାକୁ ନିଆରା ପ୍ରୟାସରେ ଅଣ୍ଟାଭିଡି ରାସ୍ତା ମରାମତି କାମ କରିଛନ୍ତି କୁନି କୁନି ଛାତ୍ରଛାତ୍ରୀ । କଲମ ଧରିବା ସମୟରେ ସେମାନେ ଶାବଳ, ଝୋଡି, କୁରାଢୀ ଧରି ମୁଣ୍ଡରେ ବୋହି କୁନି କାନ୍ଧରେ ମାଟି ବୋହି ରାସ୍ତା ତିଆରି କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି । ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କର ଏହି ବିକାଶର ଚିତ୍ର କେବଳ ଫାଇଲ ମଧ୍ୟରେ ସୀମିତ । ଲୋକମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଯଥା ପୂର୍ବଂ ତଥା ପର । ବାଧ୍ୟ ହୋଇ ଭାଗ୍ୟକୁ ଆପଣେଇ ନେଇଛନ୍ତି ଲୋକେ । ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେବୋଲି ଲୋକମାନେ ଚେତାବନୀ ଦେଇଛନ୍ତି । ପ୍ରତି ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଭଳି ନଗ୍ନ ଚିତ୍ର ୭୫ ବର୍ଷ ତଳର ପରାଧୀନତାକୁ ମନେ ପକାଇ ଦେଉଛି । ଲୋକଙ୍କ ମୌଳିକ ସୁବିଧା ସହ ଯାତାୟାତ ହେଉଥିବା ସ୍ଥଳେ ଏ ଚିତ୍ର କିଛି ଅଲଗା ବୟାନ କରୁଛି ।