ୱାନ୍-ୱେ ଓଭର୍ ବ୍ରିଜ୍ରେ ଟ୍ରାଫିକ୍ ଜାମ୍
ଦାନଗଦି (ଆପ୍ର): ଶିଳ୍ପାଞ୍ଚଳର ଲାଇଫ୍ ଲାଇନ କହୁଥିବା ମାନପୁର ଓଭରବ୍ରିଜ ଏବେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଛି । ବ୍ରିଜ୍ରେ କେବଳ ହାଲୁକା ଯାନ ପରିବହନ ପାଇଁ ସୁବିଧା ସୁଯୋଗ ରହିଥିବା ବେଳେ ଏହି ଅଣଓସାରିଆ ରାସ୍ତାରେ ମାଲବାହୀ ଗାଡି ଯାତାୟାତକୁ ନେଇ ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି ।
କଳିଙ୍ଗନଗର ଏଡିଏମ୍ଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ, ଓଭର ବ୍ରିଜ୍ ଯେହେତୁ ଗୋଟିଏ ହୋଇଛି ଏବଂ ଆଉ ଗୋଟିଏ କାମ ଚାଲିଛି ସେହିଦୃଷ୍ଟିକୋଣରୁ ଏହି ଗୋଟିଏ ବ୍ରିଜ୍ରେ ହିଁ ହଜାର ହଜାର ଲୋକ ନିର୍ଭରଶୀଳ । ତେଣୁ ସୁକିନ୍ଦା ରୋଡ ରେଳ ସାଇଡିଂର ସମସ୍ତ ମାଲ ବୋଝେଇ ଭାରୀଯାନ ଭିସା କାରଖାନାକୁ ଦାନଗଦି ମିଲିଟାରୀ ଛକ ଦେଇ ଯିବାକୁ ଏଡିଏମ୍ଙ୍କ ଅନୁମତି ରହିଛି । ତେବେ ଭାରୀଯାନ ତଥା ମାଲବାହୀ ଗାଡି ଗଲେ ରାସ୍ତା ଭିଡ଼ ସହ ପ୍ରଦୂଷଣ ବଢୁଛି । ୱାନ ୱେ ରାସ୍ତାରେ ଗୋଟିଏ ଭାରୀଯାନ ଯଦି ଯାନ୍ତ୍ରିକ ସମସ୍ୟାରୁ ଖରାପ ହୁଏ, ତେବେ ଯାତାୟାତ ପାଇଁ ଟ୍ରାଫିକ ଜାମ ସ୍ଥିତି ସୃଷ୍ଟି ହେଉଛି । ଜରୁରୀ ଆମ୍ବୁଲାନ୍ସ କି ଦମକଳ ଗାଡି ମଧ୍ୟ୍ୟ ଭିଡ଼ରେ ଯିବାକୁ ସମୟ ଲାଗୁଛି ।
ଏହିପରି ଭାବେ ଆଜି ସକାଳୁ ଗୋଟିଏ କୋଇଲା ବୋଝେଇ ହାଇୱା ଏହି ବି୍ରଜ୍ରେ ଯାଉଥିବା ବେଳେ ଅସାବଧାନତାବସତଃ ତାର ଡାଲା ଖୋଲି ଯାଇ ରାସ୍ତାରେ କୋଇଲା ଗଦା ହୋଇଯାଇଥିଲା । ଯାହା ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା । ଏଣୁ ଏହି ରାସ୍ତା ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।