୩ ଜୋନ୍ ଅସୁରକ୍ଷିତ ଘୋଷିତ
ଅଘଟଣ ପରେ ଚେତିଲା ପ୍ରଶାସନ
ପୁରୀ (ବୁ୍ୟରୋ): ସମୁଦ୍ରରେ ପର୍ଯ୍ୟଟକମାନେ ସ୍ନାନ କରୁଥିବା ବେଳେ ବାରମ୍ବାର ଅଘଟଣ ଘଟିଲା ପରେ ପ୍ରଶାସନର ଚେତା ପଶିଛି । ଏପରିକି ଆଗକୁ ଯେଭଳି ଅଘଟଣ ନ ଘଟିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ରର ଯେଉଁ ଅଞ୍ଚଳ ପାଣି ତଳେ କରେଣ୍ଟ ରହୁଛି ସେହି ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଫଳରେ ଉକ୍ତ ଅଞ୍ଚଳକୁ ଦଉଡ଼ି ବାନ୍ଧି ପର୍ଯ୍ୟଟକଙ୍କୁ ବାରଣ କରିଛି ପ୍ରଶାସନ । ବିଶେଷ ଭାବେ ବୁଧବାର ପୂର୍ଣ୍ଣିମା ଥିବାରୁ ଅଶାନ୍ତ ରହିଥିଲା ସମୁଦ୍ର । ତତ୍ସହିତ ଜୁଆରିଆ ରହିଥିଲା ସମୁଦ୍ର । ତେଣୁ ଉକ୍ତ ଅଞ୍ଚଳକୁ ଅସୁରକ୍ଷିତ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ବିଶେଷ ଭାବରେ ବେଳାଭୂମିର ୧୪ଟି ସ୍ନାନ ଜୋନ୍ ରହିଥିବା ବେଳେ ସେଥିମଧ୍ୟରୁ ୧, ୩ ଓ ୯ ନମ୍ବର ଜୋନ୍କୁ ଅସୁରକ୍ଷିତ ଜୋନ୍ ଭାବେ ଘୋଷଣା କରାଯାଇଛି । ଘଟଣାସ୍ଥଳରେ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରହି ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବା ଲାଗି ବାରଣ କରୁଛନ୍ତି । ଏପରିକି କେତେଜଣ ପର୍ଯ୍ୟଟକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।