ଜଳବନ୍ଦୀ ବାଲିସାହିବାସୀ ସୁରକ୍ଷିତ ସ୍ଥାନକୁ ଗଲେ
ଲଗାଣ ବର୍ଷାରେ ବେହାଲ ଭଞ୍ଜନଗର
ଭଞ୍ଜନଗର (ଆପ୍ର): ଲଗାଣ ବର୍ଷାରେ ବେହାଲ ଭଞ୍ଜନଗର । ଗତ ୩ ଦିନ ଧରି ଭଞ୍ଜନଗର ଇଲାକାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି । ଭଞ୍ଜନଗର ବ୍ଲକ୍ ବାଉଁଶଲୁଣ୍ଡି ପଞ୍ଚାୟତର ବାଲିସାହି ଗ୍ରାମରେ ବର୍ଷାଜଳ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର ବାଲିସାହି ଗ୍ରାମରେ ପହଞ୍ଚି ଲୋକଙ୍କୁ ଚୁଡା ଚାଉଳ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଭଞ୍ଜନଗର ବିଡିଓ ଦାୟିତ୍ୱରେ ରହିଥିବା ଜଗନ୍ନାଥପ୍ରସାଦ ବିଡିଓ ଅନୁପ ପଣ୍ଡା, ବ୍ଲକ ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ସମେତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତିରିତ କରିବାକୁ ଉପଜିଲ୍ଲାପାଳ ନିଦେ୍ର୍ଦଶ ଦେବା ପରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ଲୋକଙ୍କୁ ଚାକୁଣ୍ଡାପଲ୍ଲୀ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।
ସେହିପରି ଏହି ବ୍ଲକର ଜିଲୁଣ୍ଡି ପଞ୍ଚାୟତର କଇଁଣ୍ଡି ଠାରେ କାଳିଆମ୍ବା ନାଳ ଭାଙ୍ଗିଯିବା କାରଣରୁ କଇଁଣ୍ଡି ଗ୍ରାମ ସମେତ ମୁଦୁଲିପଲ୍ଲୀ ପଞ୍ଚାୟତର ମୁଦୁଲିପଲ୍ଲୀ, ଭାଲିଆଖାଇ, ଡେଙ୍ଗାପଦର ଆଦି ଗ୍ରାମର ଚାଷଜମି ଜଳାର୍ଣ୍ଣବ ହୋଇପଡିଛି । ଫଳରେ ହଜାର ହଜାର ଏକର ଜମି ଏବେ ବନ୍ୟାଜଳରେ ବୁଡି ରହିଛି । ଆଉ ବର୍ଷା ଜଳ କେବେ ନିଷ୍ପାସିତ ହେବ ତାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଭଞ୍ଜନଗର ଅଂଚଳରେ ମଙ୍ଗଳବାର ସର୍ବାଧିକ ୮୬ ମିମି ବର୍ଷା ରେକର୍ଡ କରାଯାଇଛି । ସେହିରପି ଷୋରିଷମୂଳି ଠାରେ ୩୪ ମିମି, ମାଧବରିଡା ଠାରେ ୭୭ ମିମି, ଖଣ୍ଡରାବଳୀ ଠାରେ ୧୬ ମିମି, ଡହ ଡ୍ୟାମ ସାଇଡରେ ୪୮ ମିମି, ବାଘୁଆ ମୋତିଝରି ଠାରେ ୭୫ ମିମି ଓ ଟଭାପଲ୍ଲୀ ଠାରେ ୫୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଡହ ଜଳଭଣ୍ଡାରକୁ ଏବେ ପ୍ରତି ମିନଟରେ ୧୭.୪୪ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବାବେଳେ ସ୍ପିଲୱେ ଦେଇ ୧୩.୬୩ କୁ୍ୟସେକ୍ସ ଜଳ ନିଷ୍କାସନ କରାଯାଉଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା କହିଛନ୍ତି । ଜଳଭଣ୍ଡାର ଉପରେ ଜଳସଂପଦ ବିଭାଗ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଏହି ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତି ହୋଇ ଯାଇଥିବାରୁ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଆଗକୁ ଯଦି ବର୍ଷା ଲାଗି ରହେ ତେବେ ଅଧିକ ଗେଟ୍ ଖୋଲାଯିବା ଆଶା କରାଯାଉଛି । ଅନ୍ୟପକ୍ଷରେ ପାଣିପାଗ ବିଭାଗର ସୂଚନା ପ୍ରକାରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ହେବ । ବର୍ଷା ଲାଗିରହିଲେ ଡହ ଜଳଭଣ୍ଡାର ଅଧିକ ଜଳ ନିଷ୍କାସନ କରିବ । ଫଳରେ ନଈକୂଳିଆ ଅଞ୍ଚଳର ବିଭିନ୍ନ ଗ୍ରାମ ପ୍ରତି ବିପଦ ଆଶଙ୍କା ରହିଛି ।