୨ଠ ରାଜ୍ୟ ଉବୁଟୁବୁ
ନୂଆଦିଲ୍ଲୀ, ୧୨ା୭: ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ପ୍ରବଳ ମୌସୁମୀ ବର୍ଷା କାରଣରୁ ୨୦ ରାଜ୍ୟରେ ବନ୍ୟା ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ଓ ମଧ୍ୟ ଭାରତର କେତେକ ଇଲାକାରେ ସୋମବାର ଅତି ପ୍ରବଳ ବର୍ଷା ହେବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି ।
ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟ ପ୍ରଦେଶରେ ବର୍ଷା ଓ ବଜ୍ରପାତରେ ୧୪୮ ଜଣ ଲୋକ ପ୍ରାଣ ହରାଇଥିବା ଖବର ମିଳିଛି । ଗୁଜରାଟରେ ଲଗାଣ ବର୍ଷା ଫଳରେ ୬ ଜିଲ୍ଲାରେ ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଦକ୍ଷିଣ ଓ ମଧ୍ୟ ଗୁଜରାଟ ଜିଲ୍ଲାଗୁଡ଼ିକରେ ଅତିକମ୍ରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୯ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମଧ୍ୟ ପ୍ରଦେଶର ୫୨ରୁ ୩୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଚେତାବନୀ ଦିଆଯିବା ସହ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ପୂର୍ବୋତ୍ତର ରାଜ୍ୟ ଆସାମ ଓ ମେଘାଳୟ ପରେ ଏବେ ମଧ୍ୟ ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି କହିଛି ।