ନୀଳକନ୍ଦରରେ କାଳିଆ ଠାକୁର

ପୁରୀ, ୧୨ା୭(ବୁ୍ୟରୋ): ଶେଷ ହୋଇଛି ଘୋଷଯାତ୍ରା । ବଡଦାଣ୍ଡ ଓ ଜନ୍ମବେଦିରେ ଲୀଳାଖେଳା ସାରି ମଙ୍ଗଳବାର ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ଦେବସ୍ନାନ ପୂର୍ଣ୍ଣିମାଠାରୁ ଶୂନ୍ୟ ପଡିଥିବା ରତ୍ନବେଦି କୋଳ ପୂର୍ଣ୍ଣ ହୋଇଛି । ମହାପ୍ରଭୁଙ୍କ ଆଗମନ ପରେ ବୁଧବାରଠାରୁ ପୁଣି ଚଳଚଞ୍ଚଳ ହୋଇପଡିବ ଶ୍ରୀମନ୍ଦିର ରୋଷଶାଳା । ବାହାରିବ ନୀଳାଚଳ ଅବଢା ଆଉ ରତ୍ନ ବେଦୀରେ ଠାକୁରଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ମଙ୍ଗଳାର ପ୍ରାତଃରେ ତିନିରଥରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତିସମ୍ପନ୍ନ ହୋଇଥିଲା । ବଡ ଓଡିଆମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ରତ୍ନସିଂହାସନ ମାଜଣା କରିଥିଲେ । ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥିଲା । ମଠ ପ୍ରଦତ୍ତ ପତିତପାବନ ବାନା ଚୂନରା ସେବକମାନେ ନୀଳ ଚକ୍ରରେ ବାନ୍ଧିଥିଲେ । ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସେବକ ୬ଟାରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବାଜିଥିଲା ବିଜେ କାହାଳୀ । ପହଣ୍ଡି ଆରମ୍ଭ ହୋଇଥିଲା । ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର । ପ୍ରଥମେ ନନ୍ଦିଘୋଷ ରଥରୁ ମଦନମୋହନ, ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନସେବକମାନେ ଦକ୍ଷିଣୀଘରକୁ ୬ଟା ବିଜେ କରାଇଥିଲେ । ଏହାପରେ ଚକ୍ରରାଜ ସୁଦର୍ଶନ ପହଣ୍ଡି ସାଢ଼େ ୬ଟାରେ ହୋଇଥିଲା । ସେବକମାନେ ସୁଦର୍ଶନଙ୍କୁ ରତ୍ନ ସିଂହାସନରେ ବିଜେ କରାଇଥିଲେ । ପରେ ୭ଟା ୫ରେ ବଡଠାକୁର ବଳଭଦ୍ର ଓ ୮ଟା ୫ଠରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ୯ଟା୪୫ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ମହାପ୍ରଭୁ ରଥକୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ଠାକୁରାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ । ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ । କିନ୍ତୁ ବିବାହ ପରେ ମହାପ୍ରଭୁ ଲକ୍ଷ୍ମୀଠାକୁରାଣୀଙ୍କୁଛାଡି ଭାଇଭଉଣୀଙ୍କୁ ସାଥିରେ ଧରି ଘୋଷଯାତ୍ରାରେ ଚାଲି ଯାଇଥିଲେ । ତେଣୁ ଅଭିମାନ କରିଥିଲେ ଲକ୍ଷ୍ମୀଠାକୁରାଣୀ । ସେ ସିଂହ ଦ୍ୱାରକୁ ବନ୍ଦ କରିଦେଇଥିଲେ । କିଛି ସମୟ ପରେ ସେ ସିଂହଦ୍ୱାର ଖୋଲି ଭିତରକୁ ଚାଲିଯାଇଥିଲେ ।ଏହାପରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ମହାପ୍ରଭୁ । କିନ୍ତୁ ଜୟବିଜୟ ଦ୍ୱାର ବନ୍ଦ ରହିଥିଲା । ସେଠାରେ ବଚନିକା ସରିବା ପରେ ଭଣ୍ଡାରଘର ନିକ ଟରେ ଲକ୍ଷ୍ମୀଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଭେଟ ହୋଇଥିଲା । ସେଠାରେ ଠାକୁରଙ୍କ ଗଇଁଠାଳ ଫିଟାଯାଇଥିଲା । ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ । ଏହାପରେ ସେଠାରେ ରସଗୋଲା ଭୋଗ ହୋଇଥିଲା । ଠାକୁର ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ । ଘଷା ବିଡିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *