ଗରା, ମାଠିଆ ଧରି ଧାରଣାରେ ମହିଳା
ଠିକାଦାରଙ୍କ ମନମାନୀ: ଡ୍ରେନ୍ ନିର୍ମାଣକୁ ନେଇ ଉତ୍ତେଜନା
ବୈଶିଙ୍ଗା (ଆପ୍ର): ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ପଞ୍ଚାୟତରେ ଡ୍ରେନ୍ ନିର୍ମାଣ ଏବଂ ଠିକାଦାରଙ୍କ ମନମାନୀ ଯୋଗୁ କିଛି ମହିଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଗରା ମାଠିଆ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ଏକ ମାସ ପୂର୍ବରୁ ପିଡବ୍ଲୁ୍ୟଡି ଅଧୀନରେ ଉକ୍ତ ରାସ୍ତାର ପାଟୁଳିପୁରା ଛକରୁ ବେଲାଣପୁରା ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ଚାଲିଥିବା କଂକ୍ରିଟ୍ ଡ୍ରେନ୍ କାର୍ଯ୍ୟକୁ ବିଭାଗ ପକ୍ଷରୁ ବହୁ ପୂର୍ବରୁ ମଞ୍ଜୁରି ଦିଆଯାଇଥିଲେ ବି ଠିକାଦାରଙ୍କ ମନମାନି ପାଇଁ ବର୍ଷା ଋତୁ ଆସିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ହେଲେ ଠିକାଦାରଙ୍କ ବେପରୁଆ ମନଭାବ ଯୋଗୁ ଡ୍ରେନ୍ ନିର୍ମାଣ ହେବାକୁ ଥିବା ରାସ୍ତା ପାଶ୍ୱର୍ରେ ଜେସିବି ଯୋଗେ ଖୋଳାଯାଇଥିବା ବେଳେ ଏକ ମାସ ହୋଇଗଲାଣି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉନାହିଁ । ଫଳରେ ଲୋକେ ମୁଖ୍ୟ ରାସ୍ତାରୁ ନିଜ ଘରକୁ ଗାଡ଼ି ମଟର ନେଇ ଯାଇ ପାରୁନାହାନ୍ତି । ବେଳେବେଳେ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ନାଳ ପାର ହୋଇ ଘରକୁ ଯାଇ ପାରୁନାହାନ୍ତି । ଅନୁରୂପ ଭାବେ ଡ୍ରେନ୍ ଖୋଳୁଥିବା ଜେସିବି ରାସ୍ତା ପାଶ୍ୱର୍ରେ ଗାଁ ଭିତରକୁ ପାନୀୟ ଜଳ ଯୋଗାଣ ପାଇଁ ଯାଇଥିବା ମୁଖ୍ୟ ପାଇପ୍କୁ ସମ୍ପୂର୍ଣ୍ଣ ରୂପେ ୨ଖଣ୍ଡ କରି ଦେଇଛି । ଫଳରେ ସାତ ଦିନ ହେବ ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଦୀର୍ଘଦିନ ଧରି ଗାଁ ଭିତରେ ନଳକୂପ ବ୍ୟବସ୍ଥା ମଧ୍ୟ ଅଚଳ ହୋଇଥିବାରୁ ମହିଳାମାନେ ପିଇବା ପାଣି ପାଇଁ ଦୂରକୁ ଯିବାକୁ ପଡୁଛି । ଖୋଳା ଯାଇଥିବା ମାଟି ଓ ଡ୍ରେନ୍ ନିର୍ମାଣ ପାଇଁ ଆସିଥିବା ଚିପ୍ସ, ବାଲିକୁ ମଧ୍ୟ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ଅବରୋଧ କରି ରଖାଯାଇଛି । ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ।
ଠିକାଦାର କାର୍ଯ୍ୟସ୍ଥଳକୁ ଆସୁ ନ ଥିବାବେଳେ ନିୟୋଜିତ କର୍ମଚାରୀଙ୍କୁ ବାରମ୍ବାର କହିଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହିପରି ଏକାଧିକ ସମସ୍ୟାକୁ ନେଇ ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ପରିଷଦ ସବିତା ଦାସ ଓ ସ୍ଥାନୀୟ ସରପଞ୍ଚ ମମତା ନାଏକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ କଟି ଯାଇଥିବା ପାଣି ପାଇପ୍ର ପୁନଃ ସଂଯୋଗ ଓ ଗ୍ରାମରେ ଥିବା ନଳକୂପ ମରାମତି କରିବା ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ଓହରି ଥିଲେ ।