ସାଜିଥ ହେବେ ଶ୍ରୀଲଙ୍କା ରାଷ୍ଟ୍ରପତି!
କଲମ୍ବୋ, ୧୨ା୭: ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ସମାଗୀ ଜନ ବାଲବେଗୟା (ଏସ୍ଜେବି) ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ । ଫେରାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ୧୩ ତାରିଖ ଦିନ ଇସ୍ତଫା ଦେବେ । ଆସନ୍ତା ୨୦ ତାରିଖ ଦିନ ସଂସଦରେ ରାଷ୍ଟ୍ରପତି ନିର୍ବାଚନ ହେବା ସହ ସର୍ବଦଳୀୟ ସରକାର ଗଢ଼ାଯିବ ।
ଏସ୍ଜେବିର ପ୍ରାର୍ଥୀ ପ୍ରେମଦାସା କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ତାଙ୍କରି ନେତୃତ୍ୱରେ ନୂଆ ସରକାର ଚାଲିବ ।
୧୯୬୭ରେ ଜାତ ପ୍ରେମଦାସାଙ୍କ ପିତା ରଣସିନେ୍ଧ ପ୍ରେମଦାସା କଲମ୍ବୋରୁ ସାଂସଦ ରୂପେ ନିର୍ବାଚିତ ହେବା ସହ ରାଷ୍ଟ୍ରପତି ହୋଇଥିଲେ । ୧୯୯୩ରେ ରଣସିନେ୍ଧଙ୍କୁ ହତ୍ୟା କରାଯିବା ପରେ ସାଜିଥ ପ୍ରେମଦାସା ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ସାଜିଥ ପ୍ରେମଦାସା ଏସ୍ଜେବି ଦଳର ନେତା ତଥା ସଂସଦରେ ବିରୋଧୀ ଦଳର ନେତା ଅଛନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସାଂସଦ ରୂପେ ନିର୍ବାଚିତ ହୋଇ ତକ୍ରାଳୀନ ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ୨୦୧୧ରେ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ସେ ଉପନେତା ହୋଇଥିଲେ । ୨୦୧୫ରେ ରାଷ୍ଟ୍ରପତି ଶ୍ରୀସେନାଙ୍କ ସରକାରରେ ତାଙ୍କୁ ଗୃହ ନିର୍ମାଣ ଓ ସମୃଦ୍ଧି ମନ୍ତ୍ରଣାଳୟ ମିଳିଥିଲା । ୨୦୧୯ରେ ଦଳ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ପରବର୍ଷ ୟୁନାଇଟେଡ୍ ନ୍ୟାସନାଲ୍ ଫ୍ରଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା ।
ଫେରାର ରାଷ୍ଟ୍ରପତି ରାଜପକ୍ଷେ ସପରିବାର ଦେଶ ଛାଡ଼ି ଚାଲିଯିବା ପାଇଁ ଉଦ୍ୟମ ଜାରି ରଖିଥିବା ଖବର ମିଳିଛି । ରାଷ୍ଟ୍ରପତି ପଦରେ ଥିବା ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ୧୩ ତାରିଖ ଦିନ ଇସ୍ତଫା ଦେବା ପରେ ନୂଆ ସରକାର କାଳେ ତାଙ୍କୁ ଗିରଫ କରିବେ, ସେହି ଭୟରେ ସେ ସୋମବାର ରାତିରେ ବିମାନ ଯୋଗେ ଏୟାର୍ପୋର୍ଟର ଭିଆଇପି ଲେନ୍ ଦେଇ ଦୁବାଇ ଅଭିମୁଖୀ ବିମାନରେ ପଳାଇବା ଉଦ୍ୟମ କରିଥିଲେ । କିନ୍ତୁ ଏୟାର୍ପୋର୍ଟ ଷ୍ଟାଫ୍ ତାଙ୍କୁ ଅନୁମତି ଦେଇନଥିଲେ । ଏହି କାରଣରୁ ଇମିଗ୍ରେସନ୍ ଷ୍ଟାଫ୍ଙ୍କ ସହ ବଚସା ହୋଇଥିଲା । ମଙ୍ଗଳବାର ଦୁବାଇର ଚାରିଟି ଫ୍ଲାଇଟ୍ ଗନ୍ତବ୍ୟ ମାର୍ଗରେ ଯିବା ପରେ ରାଜପକ୍ଷେ ଓ ତାଙ୍କ ପତ୍ନୀ କଲମ୍ବୋ ସ୍ଥିତ ମୁଖ୍ୟ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ଆର୍ମି ବେସ୍ରେ ଆଶ୍ରୟ ନେଇଥିବା ଜଣାଯାଇଛି । ରାଜପକ୍ଷେଙ୍କ ସବା ସାନଭାଇ ବେସିଲ୍ ରାଜପକ୍ଷେ ମଧ୍ୟ ମଙ୍ଗଳବାର ସକାଳୁ ଦୁବାଇ ଅଭିମୁଖେ ଯାତ୍ରା ଉଦ୍ୟମ କରିଥିଲେ । ତାଙ୍କୁ ବି ଏୟାରପୋର୍ଟ ଷ୍ଟାଫ୍ ଯିବାକୁ ଦେଲେ ନାହିଁ । ରାଜପକ୍ଷେ ପରିବାର ଏବେ ସମୁଦ୍ରପଥରେ ଦେଶଛାଡ଼ି ପଳାଇବା ଯୋଜନା କରୁଥିବା ଜଣାପଡ଼ିଛି ।
ଅପରପକ୍ଷେ ତାଙ୍କୁ ଦେଶ ବାହାରକୁ ଯିବା ଲାଗି ଅନୁମତି ନ ଦେବା ଲାଗି ସୁପ୍ରିମ କୋର୍ଟରେ ଏକ ପିଟିସନ୍ ଦାଏର୍ କରାଯାଇଛି ।