ଚୀନ୍ରେ ଲୋନ୍ ଆପ୍ର ଚେର

ଭୁବନେଶ୍ୱର (ବୁ୍ୟରୋ): ଚୀନ୍ ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି । କ୍ରାଇମବ୍ରାଞ୍ଚର ଆବେଦନ ଉପରେ ଇମିଗ୍ରେସନ ବୁ୍ୟରୋ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି । ବେଆଇନ ଲୋନ୍ ଆପ୍ଲିକେସନ ମାଧ୍ୟମରେ ଟଙ୍କା କାରବାରର ମାଷ୍ଟରମାଇଣ୍ଡ ଥିବା ଚୀନ୍ ନାଗରିକଙ୍କୁ ଧରିବା ଲାଗି ଏହି ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ । ତେବେ ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।
କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜଙ୍କ କହିବା ଅନୁସାରେ ଚୀନ୍ର ଲିଉୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବେଙ୍ଗାଲୁରୁ ଆସିଥିଲେ । ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ । ଲିଉୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡ଼ିକ ଖୋଲିଥିବା ବେଳେ ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍ ଆପ୍ ଖୋଲିଥିଲେ । ଆଉ ସେହି ଆପ୍ ଗୁଡ଼ିକୁ ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧି କରୁଥିଲେ । ସେ କହିଛନ୍ତି, ଲୋନ୍ ଆପ୍ ଗୁଡ଼ିକ ଚୀନ୍ରେ ପରିଚାଳିତ ହେଉଥିବା ବେଳେ ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର । ବିଭିନ୍ନ ସୋଶାଲ୍ ମିଡିଆ ମାଧ୍ୟମରେ ଋଣ ନେବା ପାଇଁ ଅଫର୍ ଦିଆଯାଉଥିଲା । ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିବା ବେଳେ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା । ଏହାର ସୁଯୋଗ ନେଇ ଚୀନ୍ ଠକମାନେ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍ରୁ ସମସ୍ତ ତଥ୍ୟ ନେଇଯାଉଥିଲେ ।
ସେ ଆହୁରି କହିଛନ୍ତି ଯେ, ଋଣ ଟଙ୍କା ଟ୍ରାନ୍ସଫର୍ ପାଇଁ ଠକମାନେ ବ୍ୟାଙ୍କ ଆକାଉଣ୍ଟ ନେଇଥିଲେ । ଏଥିସହ ଠିକଣା, ପାନ୍କାର୍ଡ, ଆଧାରକାର୍ଡ ନମ୍ବର ଏବଂ ମୋବାଇଲ୍ରେ ସବୁ ସାଙ୍ଗଙ୍କ ନମ୍ବର ନେଇଯାଉଥିଲେ । ଋଣ ନେବାର ୬ରୁ ୭ ଦିନ ପରେ ଲୋନ୍ ଆପ୍ ମାଧ୍ୟମରେ ଫୋନ୍ କଲ ଆସୁଥିଲା ଏବଂ ବ୍ୟକ୍ତି ଜଣକ ଋଣ ଟଙ୍କାର ଦୁଇରୁ ତିନି ଗୁଣା ସୁଧ ମାଗୁଥିଲା । ଆଉ ଟଙ୍କା ନଦେଲେ ଅଶ୍ଳୀଳ ଗାଳି ଦେବା ସହିତ ହ୍ୱାଟ୍ସ ଆପ୍ ଗ୍ରୁପ୍ କରି ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ଅପପ୍ରଚାର କରୁଥିଲେ । ଏପରି ଠକାମୀ ନେଇ ଓଡ଼ିଶାରେ ୧୦୦ଟି ପିଟିସନ୍ ଦାଖଲ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ ମାସ ଭିତରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଏହାର ମାଷ୍ଟରମାଇଣ୍ଡ ଲିଉ ୟୁ ଜିଏ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *