ଆଜିଠୁ ନୀଳାଚଳ ଅବଢ଼ା
ଘୋଷଯାତ୍ରାର ଅନ୍ତିମ ପର୍ବ ସମ୍ପନ୍ନ
ପୁରୀ (ବୁ୍ୟରୋ): ଚତୁର୍ଦ୍ଧାବିଗ୍ରହ ମଙ୍ଗଳବାର ରତ୍ନସିଂହାସନକୁ ବିଜେ କରିଛନ୍ତି । ଦେବସ୍ନାନ ପୂର୍ଣ୍ଣିମାଠାରୁ ଖାଲି ପଡ଼ିଥିବା ରତ୍ନବେଦୀ ଝଲସି ଉଠିଛି । ଏହାସହିତ ମହାପ୍ରଭୁଙ୍କ ଘୋଷଯାତ୍ରାର ପରିସମାପ୍ତି ଘଟିଛି । ବୁଧବାର ବାହାରିବ ନୀଳାଚଳ ଅବଢ଼ା । ଆଉ ରତ୍ନବେଦୀରେ ମିଳିବ ଠାକୁରଙ୍କ ଦର୍ଶନ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିଲେ ମହାପ୍ରଭୁ । ଖାଲି ପଡ଼ିଥିଲା ରତ୍ନସିଂହାସନ । ଅଣସର ଗୃହରେ ଦଇତାପତିଙ୍କ ସେବା ପରେ ସୁସ୍ଥ ହେଲେ ଚତୁର୍ଦ୍ଧାବିଗ୍ରହ ।
ଜୁନ୍ ୨୯ରେ ନବ ଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ । ଜୁଲାଇ ୧ରେ ଭାଇ-ଭଉଣୀଙ୍କୁ ସାଥିରେ ନେଇ ଘୋଷଯାତ୍ରାରେ ବାହାରିଲେ ମହାବାହୁ । ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ୯ରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଠାକୁର । ମହାପ୍ରଭୁଙ୍କ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ମଙ୍ଗଳବାର ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ।
ରସଗୋଲା
ଦେଇ ମାନ ଭାଙ୍ଗିଲେ
ସିଂହଦ୍ୱାର ସିନା ଖୋଲିଦେଲେ କିନ୍ତୁ ମହାଲକ୍ଷ୍ମୀ (ଶ୍ରୀଦେବୀ)ଙ୍କ ଅଭିମାନ ଭାଙ୍ଗି ନ ଥିଲା । ମହାପ୍ରଭୁ ଶ୍ରୀମନ୍ଦିର ଭିତରେ ସାତ ପାହାଚ ଦେଇ ପ୍ରବେଶ କଲା ବେଳେ ଜୟବିଜୟ ଦ୍ୱାର ବନ୍ଦ ରହିଥିଲା । ଦ୍ୱାର କିଏ ଖୋଲିବ? ବ୍ୟସ୍ତ ହୋଇପଡ଼ିଲେ ଭିତରଚ୍ଛ ମହାପାତ୍ର । ଶ୍ରୀଦେବୀଙ୍କର ପିତା ହୋଇ ଜଗା ସହିତ ବିବାହ ଗଇଁଠାଳ ପକାଇଥିଲେ । ଜାଣିଛନ୍ତି ଦେବୀ ମିଷ୍ଠାନ୍ନ ପ୍ରିୟ । ରାଗ କମିବ ରସଗୋଲାରେ । ମଧ୍ୟସ୍ଥି ହେଲେ ଦ୍ୱାର ଖୋଲିଲା । ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥ ଭଣ୍ଡାର ଘର ନିକଟରେ ପୁଣି ଲକ୍ଷ୍ମୀଙ୍କ ସହିତ ଭେଟ ହୋଇଥିଲା । ସେଠାରେ ଠାକୁରଙ୍କ ରୁକ୍ମିଣୀ ବିବାହର ଗଇଁଠାଳ ଭିତରଚ୍ଛ ମହାପାତ୍ର ଫିଟାଇଥିଲେ । ଏହାପରେ ସେଠାରେ ବନ୍ଦପନା ଏବଂ ଜ୍ୱାଇଁଙ୍କ ପକ୍ଷରୁ ଦେବୀଙ୍କୁ ରସଗୋଲା ଭୋଗ ହୋଇଥିଲା । ଘଷା ବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ । ବୁଧବାର ରତ୍ନବେଦୀରେ ଚତୁର୍ଦ୍ଧାବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେବେ । ମାଧୁର୍ଯ୍ୟ ଧାମରୁ ଐଶର୍ଯ୍ୟଧାମକୁ ମହାପ୍ରଭୁଙ୍କ ଏହି ଳୀଳାକୁ ଲକ୍ଷାଧିକ ଭକ୍ତ ଦେଖିଥିଲେ ।
ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି
୪ଟାରେ ପହଣ୍ଡି ଲାଗି ଧାର୍ଯ୍ୟ ହୋଇଥିବା ବେଳେ ସାଢ଼େ ୬ଟାରେ ଆରମ୍ଭ ହୋଇଥିଲା । ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସେବକ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବିଜେ କାହାଳୀ ବାଜିଥିଲା । ଏହାପରେ ଡୋରଲାଗି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା । ହରିବୋଲ, ହୁଳହୁଳି, ଘଣ୍ଟନାଦ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ସମ୍ମୁଖ । ନନ୍ଦିଘୋଷରୁ ଚଳନ୍ତି ପ୍ରତିମା ମଦନମୋହନ ଓ ତାଳଧ୍ୱଜ ରଥରୁ ରାମକୃଷ୍ଣଙ୍କ ପ୍ରଥମେ ପହଣ୍ଡି ଆରମ୍ଭ ହୋଇଥିଲା । ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ହାତରେ ଦକ୍ଷିଣୀଘରକୁ ବିଜେ କରାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଠାକୁର ।
ପ୍ରଥମେ ଦର୍ପଦଳନ ରଥରୁ ମା’ସୁଭଦ୍ରାଙ୍କ ପାଶ୍ୱର୍ରେ ବିଜେ ହୋଇଥିବା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସେବକମାନେ ଚକ୍ର୍ରରାଜ ସୁଦର୍ଶନଙ୍କୁ ରତ୍ନସିଂହାସନରେ ବିଜେ କରାଇଥିଲେ । ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ରଥ ସିଂହାସନରୁ ଓହ୍ଲାଇବା ପରେ ଚାରମାଳ ଆରମ୍ଭରେ ରାଘବଦାସ ମଠରୁ ଆସିଥିବା ଟାହିଆ ଲାଗି ହୋଇଥିଲା । ପତିମହାପାତ୍ର ସେଠାରେ ବନ୍ଦାପନା କାର୍ଯ୍ୟ ବଢ଼ାଇ ପଣା ଭୋଗ ହୋଇ ସୁସଜ୍ଜିତ ଟାହିଆ ହଲାଇ ବଡ଼ଠାକୁର ରତ୍ନବେଦୀ ଅଭିମୁଖେ ହଲି ଦୋହଲି ବିଜେ ହୋଇଥିଲେ । ଦେବୀ ସୁଭଦ୍ରାଙ୍କୁ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରାଙ୍କୁ ସେବକମାନେ କାନ୍ଧରେ ଟେକି ନେଇ ରତ୍ନସିଂହାସନରେ ବିଜେ କରାଇଥିଲେ । ଶେଷରେ ହଟିଆ ଠାକୁର କାଳିଆଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । କାଳିଆ ଠାକୁରଙ୍କୁ ଟାହିଆ ଲଗାଇ ଝୁଲି ଝୁଲି ରଥ ତଳକୁ ଓହ୍ଲାଇଥିଲେ ।