ଭାରତରେ କରିଥିଲେ ଗୁଇନ୍ଦାଗିରି

ସ୍ୱୀକାର କଲେ ପାକିସ୍ତାନ ସାମ୍ବାଦିକ
ଇସଲାମାବାଦ୍ (ଏଜେନ୍ସି): ଭାରତରେ ଗୁଇନ୍ଦାଗିରି କରାଉଥିବା ନେଇ ଯେତେସବୁ ଅଭିଯୋଗ ଆଜି ପର୍ଯ୍ୟନ୍ତ ହୋଇଛି ପାକିସ୍ତାନ ସେସବୁକୁ ଅଗ୍ରାହ୍ୟ କରିଆସିଛି । କିନ୍ତୁ ଏହାର ଏକ ଜ୍ୱଳନ୍ତ ପ୍ରମାଣ ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ ଏନେଇ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସ୍ଆଇ କଥାରେ ରାଜି ହୋଇ ସେ ଭାରତରେ ଗୁଇନ୍ଦାଗିରି କରିଥିଲେ । ୨ଠଠ୭ରୁ ୨ଠ୧ଠ ମଧ୍ୟରେ ସେ ଏସବୁ କରିଥିବା ସ୍ୱୀକାର କରିଛନ୍ତି । ପାକିସ୍ତାନର ଏକାଧିକ ସମ୍ବାଦପତ୍ର ପାଇଁ ସ୍ତମ୍ଭ ଲେଖୁଥିବା ସ୍ତମ୍ବକାର ନୁଶରତ୍ ମିର୍ଜା ଏକ ସାକ୍ଷାତକାରରେ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ନୁଶରତ୍ ମିର୍ଜା କହିଛନ୍ତି ଯେ, ସେ ୨ଠଠ୭ରୁ ୨ଠ୧ଠ ମଧ୍ୟରେ ଅର୍ଥାତ୍ ୟୁପିଏ ସରକାର ସମୟରେ ଅନେକ ଥର ଭାରତ ଗସ୍ତରେ ଆସିବାରେ ସଫଳ ହୋଇଥିଲେ । ସେ ଦିଲ୍ଲୀ ଠାରୁ ଆରମ୍ଭ କରି ଆଲିଗଡ଼ ପର୍ଯ୍ୟନ୍ତ ସବୁଠି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଇନ୍ଦାଗିରି କରିବାର ସୁଯୋଗ ମିଳୁଥିଲା । ଏଥିସହ ୨ଠଠ୯ ଅକ୍ଟୋବର ୨୭ରେ ଦିଲ୍ଲୀର ଓବେରଏ ହୋଟେଲରେ ଜାମା ମସଜିଦ୍ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ଆୟୋଜିତ ଆତଙ୍କବାଦ ବିରୋଧୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନ୍ସାରୀ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଓ ମଧୁ କିଶୱାର ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ । ଏହି ସମୟରେ ସେ ବିଭିନ୍ନ ପ୍ରକାରର ତଥ୍ୟ ଭାରତରୁ ସଂଗ୍ରହ କରିଥିଲେ ବୋଲି ମିର୍ଜା ସ୍ୱୀକାର କରିଛନ୍ତି । ମୋଟାମୋଟି ଏହି ୩ ବର୍ଷ ମଧ୍ୟରେ ସେ ୫ ଥର ଭାରତ ଗସ୍ତରେ ଆସିଥିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ସେସବୁକୁ ଆଇଏସ୍ଆଇକୁ ହସ୍ତାନ୍ତର କରିଥିବା ସ୍ୱୀକାର କରିଛନ୍ତି । ପ୍ରକାଶ, ମିର୍ଜା ଜଣେ ଭାରତ ବିରୋଧୀ ବ୍ୟକ୍ତି ଭାବେ ପରିଚିତ । ସେ ଅନେକ ଭାରତ ବିରୋଧ କାର୍ଯ୍ୟକ୍ରମ ଆୟୋଜନ କରିବାର ମଧ୍ୟ ନଜିର ରହିଛି । ନିକଟରେ ସେ ପାକିସ୍ତାନ ସୁପର ଲିଗ୍କୁ ଭାରତ ବିରୋଧୀ ହାଇବ୍ରିଡ୍ ୱାର ଭାବେ ନାମିତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *