ଲେଡି ଇନ୍ସପେକ୍ଟରଙ୍କ କାର୍ ଧକ୍କାରେ ୩ ମୃତ: ୫ ଗୁରୁତର
ସୋନପୁର (ଆପ୍ର): ସୋନପୁର-ବଲାଙ୍ଗିର ଜାତୀୟ ରାଜପଥର ବଡ଼ବାହାଲି ଛକରେ ମଙ୍ଗଳବାର ସକାଳେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍ଟି ସୁନ୍ଦରଗଡ଼ରେ କାର୍ଯ୍ୟରତ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର । ଦୁର୍ଘଟଣା ପରେ ସ୍ନଗ୍ଧାରାଣୀ ଓ ତାଙ୍କ ଡ୍ରାଇଭର ଅଜୟ ଜେଠି ଫେରାର ହୋଇଯାଇଥିଲେ । ଅପରାହ୍ଣରେ ଉଭୟଙ୍କୁ ବଲାଙ୍ଗିର ସହରସ୍ଥିତ ହାତୀଶାଳପଡ଼ାରୁ ଧରାଯାଇ ସୋନପୁର ଅଣାଯାଇଛି । ଡ୍ରାଇଭର୍କୁ ଗିରଫ କରାଯାଇଥିବା ସୋନପୁର ଏସ୍ପି ଅମରେଶ ପଣ୍ଡା ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଓ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ପୁରୀରୁ ରଥଯାତ୍ରା ଡୁ୍ୟଟି ସାରି ସ୍ନିଗ୍ଧାରାଣୀ ନିଜ ମାରୁତି ଏର୍ଟିଗା ଯୋଗେ ଭୋର୍ରେ ସୋନପୁର ପଟରୁ ବଲାଙ୍ଗିର ଯାଉଥିବା ବେଳେ ବଡ଼ବାହାଲି ଛକରେ ଛିଡା ହୋଇଥିବା ଏକ ଅଟୋ ଓ ବାଇକ୍କୁ ଧକ୍କା ଦେଇଥିଲା । କାର୍ ରାସ୍ତାର ଗୋଟିଏ ପାଶ୍ୱର୍ରୁ ଅପର ପାଶ୍ୱର୍କୁ ଯାଇ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ଦୁର୍ଘଟଣା ସ୍ଥଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତୁ୍ୟ ଘଟିଥିଲା । ଆହତ ହୋଇଥିବା ୫ଜଣଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ରାଘବପାଲି ଗ୍ରାମର ଗୁଆବତି ଜାଈ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳ । ସେମାନେ ଅଟୋରେ ପନିପରିବା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
ଏସ୍ପି ଶ୍ରୀ ପଣ୍ଡା କହିଛନ୍ତି, ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ମାରୁତି ଏର୍ଟିଗା ଭୁଲ ଦିଗରୁ ଯାଇ ଦୁର୍ଘଟଣା ଘଟାଇଥିଲା । କାର୍ରେ ଇନ୍ସପେକ୍ଟର ଥିଲେ ଓ ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ଓ ଇନ୍ସପେକ୍ଟରଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିବା ସହ ଶବ ଦେଇ ନ ଥିଲେ । ଭୋରରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯିବାରୁ ବଲାଙ୍ଗିର-ସୋନପୁର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାକ୍ତ ହୋଇଥିଲା । ଘଟଣାସ୍ଥଳରେ ସୋନପୁର ଏସ୍ପି ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।