୪୮ ବର୍ଷ ପରେ ଇତିହାସ ରଚିଲା ଭାରତ

ଲଣ୍ଡନ, ୧୨ା୭ (ଏଜେନ୍ସି): ପେସର୍ଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ମଙ୍ଗଳବାର ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ପରାସ୍ତ କରିଛି । ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ଭାରତ ୧୦ ୱିକେଟ୍ରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଛି । ଏହା ପୂର୍ବରୁ ୧୯୭୪ରେ ଟିମ୍କୁ ଏହି ସଫଳତା ମିଳିଥିଲା । ଏଥିସହିତ ଭ୍ରମଣକାରୀ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି ।
ଶୃଙ୍ଖଳା ଆରମ୍ଭରୁ ଏଭଳି ଏକ ଏକତରଫା ମ୍ୟାଚ୍ କଳ୍ପନାତୀତ ଥିଲା । ଦ ଓଭାଲ୍ରେ ଏକ ଉଷ୍ଣ ଅପରାହ୍ଣରେ ବିଶ୍ୱ ବିଜେତା ଟିମ୍ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମୀଙ୍କ ଅସାଧାରଣ ଦକ୍ଷତା ଆଗରେ ଆତ୍ମ-ସମର୍ପଣ କରିଥିଲା । ଜୋସ୍ ବଟ୍ଲର୍ ଏକ ତିକ୍ତ ଅନୁଭବରୁ ଅଧିନାୟକୀୟ କ୍ୟାରିଅର ଆରମ୍ଭ କରିଥିଲେ, ଯେଉଁଠି ତାଙ୍କ ପୂରା ଟିମ୍ ୨୫.୨ ଓଭର୍ରେ ୧୧୦ ରନ୍ କରି ଭୁଶୁଡ଼ି ଯାଇଥିଲା ଯେତେବେଳେକି ହାତରେ ପୂରା ୫୦ ଓଭର୍ ଥିଲା । ଭାରତ ବିପକ୍ଷରେ ଇଂଲଣ୍ଡର ସର୍ବନିମ୍ନ ଦିନିକିଆ ସ୍କୋର୍ । ଜବାବରେ ଭାରତୀୟ ଟିମ୍ ୧୯ତମ ଓଭର୍ରେ କୌଣସି ୱିକେଟ୍ ନ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା ।
ବୁମ୍ରା (୧୯/୬) ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନରେ ୧୯ ବର୍ଷ ତଳର ଆଶିଷ ନେହରା (୨୩/୬)ଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ଇଂଲଣ୍ଡରେ ପ୍ରଥମ ଭାରତୀୟ ପେସର୍ ଭାବେ ୬ ୱିକେଟ୍ ଅକ୍ତିଆର କରିଥିଲେ । ଶାମି ୩୧ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ଅନ୍ୟ ଏକ ୱିକେଟ୍ ପ୍ରସିଦ୍ଧ କ୍ରିଷ୍ଣ ପାଇଥିଲେ । ବୁମ୍ରା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଭାରତ ପକ୍ଷରୁ ସମସ୍ତ ୧୦ ୱିକେଟ୍ ପେସ୍ ବୋଲର୍ମାନେ ନେଇଛନ୍ତି । ଦିନିକିଆ କ୍ରିକେଟ୍ରେ ଦ୍ୱିତୀୟ ଥର ଟିମ୍ ଇଣ୍ଡିଆର ପେସର୍ମାନେ ଏହି କମାଲ୍ କରିଛନ୍ତି । ଏଥି ପୂର୍ବର୍ୁ ୨୦୧୪ରେ ବାଂଲାଦେଶ ବିପକ୍ଷ ମୀରପୁର ଦିନିକିଆରେ ଏଭଳି ଦେଖିବାକୁ ମିଳିଥିଲା । ଷ୍ଟୁଆର୍ଟ ବିନ୍ନି ୬ ଓ ମୋହିତ ଶର୍ମା ୪ ୱିକେଟ୍ ନେଇଥିଲେ ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଘାତ ଜନିତ କାରଣରୁ ବିରାଟ କୋହଲି ଏହି ମ୍ୟାଚ୍ ଖେଳି ନ ଥିଲେ । ବାମହାତି ବ୍ୟାଟର୍ ଶିଖର ଧାବନ୍ଙ୍କୁ ଟିମ୍ରେ ସାମିଲ୍ କରାଯାଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ୫ ୱିକେଟ୍ ୧୦ ଓଭର୍ ମଧ୍ୟରେ ପଡ଼ିଥିଲା । ୨୦୦୪ ପରେ ପ୍ରଥମ ଥର ଟିମ୍ ଇଣ୍ଡିଆର ବୋଲର୍ମାନେ ଏହି କମାଲ୍ କରିଥିଲେ । ଏହା ପୂର୍ବରୁ ଦାମ୍ବୁଲା ଠାରେ ୟୁଏଇ ବିପକ୍ଷରେ ଭାରତ ୧୦ ୱିକେଟ୍ରେ ୫ ୱିକେଟ୍ ନେଇଥିଲେ ।
ବୁମ୍ରା ନିଜ ପ୍ରଥମ ଓଭର୍ରେ ଇଂଲଣ୍ଡର ଦୁଇ ଜଣ ବ୍ୟାଟର୍ଙ୍କୁ ପାଭିଲିଅନ୍ ପଠାଇଥିଲେ । ସେ ପ୍ରଥମେ ଜାସନ ରୟ (୦)ଙ୍କୁ ବୋଲ୍ଡ କରିଥିଲେ । ଏହାପରେ ତିନି ନମ୍ବରରେ ଆସିଥିବା ଜୋ ରୁଟ୍ଙ୍କ ଶିକାର କରିଥିଲେ । ରୁଟ୍ ବି ଖାତା ଖୋଲି ପାରି ନ ଥିଲେ ଏବଂ ରିଷଭ ପନ୍ତଙ୍କୁ କ୍ୟାଚ୍ ଦେଇଥିଲେ ।
ଏହାପରେ କ୍ରିଜ୍କୁ ଆସିଥିବା ବେନ୍ ଷ୍ଟୋକ୍ସ ମଧ୍ୟ କୌଣସି ସ୍କୋର୍ ନ କରି ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତିନି ୱିକେଟ୍ ପଡ଼ିବା ପରେ ଲାଗୁଥିଲା ଯେ ଅନ୍ୟତମ ଓପ୍ନର୍ ଜନି ବେଆରଷ୍ଟୋ ଓ ନୂଆ ବ୍ୟାଟର୍ ଅଧିନାୟକ ଜୋସ୍ ବଟ୍ଲର୍ ମିଶି ଇନିଂସ୍କୁ ସମ୍ଭାଳି ନେବେ । କିନ୍ତୁ ବେଆରଷ୍ଟୋ (୭) ମଧ୍ୟ ବୁମ୍ରାଙ୍କ ଆକ୍ରମଣରେ ବେଶୀ ସମୟ ତିଷ୍ଠି ନ ଥିଲେ । ଏହାପରେ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କୁ ବିନା ସ୍କୋର୍ରେ ବୋଲ୍ଡ କରି ବୁମ୍ରା ଚତୁର୍ଥ ସଫଳତା ପାଇଥିଲେ ।
୭.୫ ଓଭର୍ରେ ମାତ୍ର ୨୬ ରନ୍ରେ ଟିମ୍ ୫ ୱିକେଟ୍ ହରାଇଥିଲା । ଏହାପରେ ବଟ୍ଲର୍ ଏକାକୀ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ସେ ମୋଇନ୍ ଅଲ୍ଲୀଙ୍କ ସହ ଷଷ୍ଠ ୱିକେଟ୍ରେ ୨୭ ରନ୍ ଯୋଗ କରିଥିଲେ । ମୋଇନ୍ (୧୪)ଙ୍କ ୱିକେଟ୍ ପ୍ରସିଦ୍ଧଙ୍କ ଖାତାକୁ ଯାଇଥିଲା ।
ବଟ୍ଲର୍ (୩୦) ବି ଆଉ ବେଶୀ ବାଟ ଯାଇପାରି ନ ଥିଲେ । ଶାମି ତାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ କ୍ୟାଚ୍ଆଉଟ୍ କରାଇଥିଲେ । କ୍ରେଗ୍ ଓଭରଟନ୍ (୮) ଶାମୀଙ୍କ ତୃତୀୟ ଶିକାର ହୋଇଥିଲେ । ୬୮ ରନ୍ରେ ୮ ୱିକେଟ୍ ପଡ଼ିଥିଲା ।
ଏହାପରେ ଡେଭିଡ୍ ୱିଲୀ ଓ ବ୍ରାଇଡନ୍ କାର୍ସଙ୍କ ପ୍ରୟାସ ଯୋଗୁଁ ଇନିଂସ୍ ୧୦୦ ଅତିକ୍ରମ କରିପାରିଥିଲା । ନବମ ୱିକେଟ୍ ପାଇଁ ୩୫ ରନ୍ର ଭାଗୀଦାରୀ ହୋଇଥିଲା । କାର୍ସ (୧୫) ଓ ୱିଲୀ (୨୧) ଉଭୟ ବୁମ୍ରାଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଇଂଲଣ୍ଡ ଟିମ୍ ୧୧୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା ।
ଜବାବରେ ଭାରତୀୟ ଟିମ୍ ୧୮.୪ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୧୧୪ ରନ୍ କରି ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ୫୮ ବଲ୍ରୁ ୭୬ (୭ ଚୌକା ଓ ୫ ଛକା ସହାୟତାରେ) ଏବଂ ଶିଖର ଧାବନ୍ ୫୪ ବଲ୍ରୁ ୩୧ (୪ ଚୌକା ସହାୟତାରେ) ରନ୍ କରି ଅପରାଜିତ ଥିଲେ ।
ଓପନିଂ ଯୋଡ଼ି ପ୍ରଥମରୁ ଧୀମା ଖେଳିଥିଲେହେଁ ଧୀରେ ଧୀରେ କ୍ରିଜ୍ରେ ଜମି ଯାଇଥିଲା । ବିଶେଷକରି ରୋହିତ ଅନେକ ଆକର୍ଷଣୀୟ ସଟ୍ ଖେଳିଥିଲେ । ସେ ୪୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *