ସାରଳା ସମବାୟ ସୂତାକଳ ସିଲ୍

୫ କୋଟିର ଅନାଦେୟ ଋଣ ପାଇଁ ଶହେ କୋଟିର ସମ୍ପତ୍ତି ହାତେଇଲା ଷ୍ଟେଟ୍ ବ୍ୟାଙ୍କ
ତିର୍ତ୍ତୋଲ, ୧୧ା୭ (ଆପ୍ର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ନାଉସୀରାସ୍ଥିତ ସାରଳା ବୁଣାକାର ସମବାୟ ସୂତାକଳକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ସୋମବାର ସିଲ୍ କରିଦିଆଯାଇଛି । ସୂତାକଳର ୩୨ଏକର ପରିମିତ ଜମିରେ ଥିବା ବିଭିନ୍ନ ସମ୍ପତ୍ତିର ମୂଲ୍ୟ ପାଖାପାଖି ଶହେ କୋଟି ଟଙ୍କା ହେବ । ପ୍ରାୟ ପାଞ୍ଚ କୋଟି ଟଙ୍କାର ଅନାଦେୟ ଋଣ ପାଇଁ ଶହେ କୋଟି ଟଙ୍କାର ସମ୍ପତ୍ତି ବ୍ୟାଙ୍କ ହାତେଇ ନେବା ଘଟଣା ଏ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।
୧୯୮୪ ମସିହାରେ ଏହି ସୂତାକଳ ସ୍ଥାପନ କରାଯାଇଥିଲା । ସେଥିରେ ୨ହଜାର ଲୋକ ନିଯୁକ୍ତି ପାଇଥିଲେ । ୧୯୯୯ ମସିହା ମହାବାତ୍ୟା ପରଠାରୁ ସୂତାକଳ ଅଚଳ ହୋଇ ପଡ଼ିଥିଲା । ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଆଶା ବାନ୍ଧି ବସିଥିବା ବେଳେ ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ଋଣ ଅନାଦେୟ ଯୋଗୁ ଷ୍ଟେଟ ବ୍ୟାଙ୍କ ସୂତାକଳକୁ ସିଲ୍ କରିବା ସହ ଏହାକୁ ନିଜ ଦଖଲକୁ ନେଇଯାଇଛନ୍ତି ।
୧୯୮୨ ମସିହାରେ ୨୬ ଏକର ଜମିରେ ଏହି ସୂତାକଳର ଶିଳାନ୍ୟାସ କରାଯାଇଥିଲା । ଦୁଇ ବର୍ଷ ପରେ ସୂତାକଳ କାର୍ଯ୍ୟକ୍ଷମ ହେଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସେତେବେଳେ ୧୨କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସୂତାକଳରେ ୧୫ ଶହ ଲୋକ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ଏବଂ ପରୋକ୍ଷରେ ପାଖାପାଖି ୩ହଜାର ପରିବାରଙ୍କ ଗୁଜୁରାଣ ମେଣ୍ଟୁଥିଲା ।
ସାରଳା ସୂତାକଳରୁ ଉତ୍ପାଦିତ ସୂତାର ମାନ ଅତ୍ୟନ୍ତ ଉନ୍ନତ ଥିବାରୁ ତାହା ଦେଶବିଦେଶକୁ ରପ୍ତାନି ହେଉଥିଲା । ଏପରିକି ଏହି ସୂତାକଳ ଦେଶରେ ଦ୍ୱିତୀୟ ସ୍ଥାନରେ ଥାଇ ପୁରସ୍କୃତ ହୋଇଥିଲା । ୧୯୯୯ ମସିହା ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ସହ ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହୋଇ ଦେବାଳିଆ ଘୋଷିତ ହୋଇଥିଲା ।
ରାଜ୍ୟ ସରକାର ଶିଳ୍ପାୟନ ଓ ନିଯୁକ୍ତିକୁ ଗୁରୁତ୍ୱ ଦେଉଥିବାବେଳେ ସାରଳା ସମବାୟ ସୂତାକଳର ପୁନରୁଦ୍ଧାର ହେବ ବୋଲି ଅଞ୍ଚଳ ତଥା ଜିଲ୍ଲାବାସୀ ଆଶା ରଖିଥିଲେ । ଗତମାସ ୨୨ ତାରିଖରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂତାକଳ ଫାଟକରେ ଜବତ ନୋଟିସ୍ ଟାଙ୍ଗି ଦିଆଯିବା ପରଠାରୁ ସେହି ଆଶା ମଉଳି ଯାଇଥିଲା ।
ଦୀର୍ଘଦିନ ଧରି ବନ୍ଦ ପଡିଥିବା ସୂତାକଳର ବହୁ ଯନ୍ତ୍ରାଂଶ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ସୂତାକଳ ପରିଚାଳନା ପାଇଁ ଷ୍ଟେଟ ବ୍ୟାଙ୍କ ଦେଇଥିଲା ଦୁଇ କୋଟି ଟଙ୍କାର ଋଣ । ତାହା ଆଦାୟ ହୋଇ ନ ପାରି ସୁଧ, ମୂଳ ମିଶି ଏବେ ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କାରେ ପହଞ୍ଚିଛି ।
ସୋମବାର ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ସୂତାକଳ ପରିସରରେ ପଶି ତିର୍ତ୍ତୋଲ ତହସିଲ ନାଉସୀରା ମୌଜାର ଖାତା ନମ୍ବର ୨୧୪ ଅନ୍ତର୍ଗତ ପ୍ଲଟ ନମ୍ବର ୯୦୯, ୯୧୦, ୯୧୧, ୯୧୨, ୯୧୩, ୯୧୪, ୯୧୫, ୯୧୬, ୯୧୭, ୯୧୮, ୯୧୯ ଓ ୯୨୦/୧୫୩୫ରେ ଥିବା ସମସ୍ତ ୧୫ ଏକର ୧୨ ଡିସିମିଲ ଜମି ଓ ସେଥିରେ ଥିବା ସମସ୍ତ କୋଠାବାଡି ଓ ଯନ୍ତ୍ରପାତି କୋରକ ଘୋଷଣା ସହ ସିଲ୍ କରିଛନ୍ତି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ରରେ ଏ ବିଷୟ ଘୋଷଣା କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ୍ କରିଥିବା ସୂତାକଳ ପରିସରକୁ ଜଗିବା ପାଇଁ ସ୍ୱତନ୍ତ୍ର ସିକ୍ୟୋରିଟି ସଂସ୍ଥା ନିୟୋଜିତ କରିଥିବା ଦେଖିବାକୁ ମିଳିଛି ।
ସୂତାକଳରେ ବ୍ୟାଙ୍କ ନୋଟିସ୍ ଲଗାଇବା ପରଠାରୁ ଏହାର ପୁନରୁଦ୍ଧାର ପାଇଁ କଂଗ୍ରେସ ଦଳ ପକ୍ଷରୁ ଆନେ୍ଦାଳନ ଚେତାବନୀ ଦିଆଯାଇଥିଲା । ଏହା ସହିତ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ସମୂହ ଦସ୍ତଖତ ଅଭିଯାନ ଜାରି ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *