ଦିନକ ପାଇଁ ଶ୍ରୀମନ୍ଦିରରେ ହୁଏ ରସଗୋଲା ଭୋଗ
ପୁରୀ (ବୁ୍ୟରୋ): ପରମ୍ପରା ଅନୁଯାୟୀ ଠାକୁରମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ବାହୁଡ଼ାରେ ଫେରିଆସନ୍ତି । ଏହା ପରଦିନ ସିଂହଦ୍ୱାରଠାରେ ରଥ ଉପରେ ସୁନାବେଶରେ ଦର୍ଶନ ଦିଅନ୍ତି, ତା’ପରଦିନ ଅଧରପଣା ନୀତି ସାରି ପରଦିନ ନୀଳାଦି୍ରବିଜେ କରିଥାନ୍ତି । ଏହି ଗୋଟିଏ ଦିନ ହିଁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ ।
ଏ ସମ୍ପର୍କରେ ଐତିହ୍ୟ ବିଶାରଦମାନେ କୁହନ୍ତି, ନୀଳାଦି୍ରବିଜେ ଦିନ ତିନିରଥରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ । ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଭୋଗ ଲାଗି ନୀତି ସମ୍ପନ୍ନ ହୁଏ । ପ୍ରଥମେ ମହାଜନ ସେବକମାନେ ମଦନମୋହନ, ରାମ ଓ କୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀଘରକୁ ବିଜେ କରାଇଥାନ୍ତି । ଏହାପରେ ଗୋଟି ପହଣ୍ଡି କ୍ରମରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ନିଆଯାଏ । ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ମାର୍ଜନା, ତି୍ରମୁଣ୍ଡିରେ ଚାନ୍ଦୁଆ ବନ୍ଧା ଓ ଅଖଣ୍ଡ ବଇଠା ବସିଥାଏ । ଠାକୁରମାନେ ପହଣ୍ଡିରେ ଯିବା ବେଳେ ମନ୍ଦିର ପରିସରରେ ଶୁଆସାରୀ ଦେଉଳଠାରେ ପ୍ରସାଦ ଲାଗି, ଘଷା, ବିଡ଼ିଆ ମଣୋହୀ ଓ ବନ୍ଦାପନା ନୀତି ହୋଇଥାଏ ।
ଠାକୁରମାନେ ଜଗମୋହନରେ ପ୍ରବେଶ କଲେ ସେଠାରେ ମଧ୍ୟ ଏହିପରି ନୀତି କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ଚାର ଉପରକୁ ଓହ୍ଲାଇ ଆସିଲେ ମହାଲକ୍ଷ୍ମୀ ଠାକୁରାଣୀ ରୋଷଘା ନିକଟବର୍ତ୍ତୀ ଭେଟ ମଣ୍ଡପକୁ ଆସିଥାନ୍ତି । ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କର ଭେଟ ହୋଇଥାଏ । ଏହାପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଭିତରଚ୍ଛ ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ସେବକ ବନ୍ଦାପନା ନୀତି ବଢ଼ାଇ ଥାନ୍ତି ।
ପରମ୍ପରା ଅନୁଯାୟୀ, ପହଣ୍ଡି ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ କିଛିସମୟ ପାଇଁ ଦ୍ୱାର ବନ୍ଦ ହେବ ଓ କିଛି ସମୟ ପରେ ଖୋଲି ଦିଆଯାଇଥାଏ । ମହାପ୍ରଭୁ ଜୟ-ବିଜୟ ଦ୍ୱାରର ଭିତରପଟେ ଜନୈକ ଦେବଦାସୀ ଓ ମହାପ୍ରଭୁଙ୍କ ପକ୍ଷରୁ ଜଣେ ଦଇତାପତି ଦ୍ୱାରର ଅପରପାଶ୍ୱର୍ରେ ରହନ୍ତି । ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ହୁଏ । ବଚନିକା ପରେ ଜୟବିଜୟ ଦ୍ୱାର ଖୋଲାଯାଏ । ମହାପ୍ରଭୁ ପହଣ୍ଡିରେ ଯାଇ ଭଣ୍ଡାରଘର ସମ୍ମୁଖରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଫିଟେ ଓ ବନ୍ଦାପନା ଓ ରସଗୋଲା ଭୋଗ ପ୍ରଭୃତି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ କରାଯାଏ । ଘଷା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି । ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଶ୍ରୀମନ୍ଦିର ପରିସରରେ ରସଗୋଲା ଭୋଗ କରାଯାଇଥାଏ । ଭିତରଚ୍ଛ ମହାପାତ୍ରଙ୍କ ନିଜ ଘରେ ଶୁଦ୍ଧପୁତ୍ର ଭାବେ ଏହି ରସଗୋଲା ପ୍ରସ୍ତୁତ ହୋଇଥାଏ । କଥିତ ଅଛି, ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ସେ ମାନ କରିଥାନ୍ତି । ଏହିଦିନ ମହାପ୍ରଭୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥାନ୍ତି । ଏହିଦିନ ଅନେକ ବ୍ୟକ୍ତିବିଶେଷ, ମଠବାଡ଼ି ଓ ସେବକମାନେ ରଥ ଉପରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିଥାନ୍ତି । ଦାରୁବିଗ୍ରହମାନେ ରତ୍ନସିଂହାସନକୁ ବିଜେ କରିବା ପରେ ଦଇତାପତି ସେବକ ରୁନ୍ଧା କାର୍ଯ୍ୟ ସମ୍ପନ୍ନ କରନ୍ତି । ମହାପ୍ରଭୁଙ୍କ ନୀଳାଦି୍ରବିଜେ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି କଥିତ ରହିଛି ।