ରଥରେ ଭଙ୍ଗାଗଲା ୯ ଅଧର ହାଣ୍ଡି
ପୁରୀ (ବୁ୍ୟରୋ): ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ସୋମବାର ସମ୍ପନ୍ନ ହୋଇଛି ଅଧରପଣା ନୀତି । ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ ଅଧରପଣା ହାଣ୍ଡି । ଅନୁକୂଳ ପାଗ ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦର୍ଶନ କରିଛନ୍ତି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ । ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର ଓ ଜାଇଫଳ ଆଣି ରଥ ଉପରେ ରଖାଯାଇଥିଲା । ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏଁ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା । ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା । ପରେ ମହାସୁଆରମାନେ ପଣା ପାଇଁ ଆସିଥିବା ସାମଗ୍ରୀ ମିଶାଇ ପଣା ପ୍ରସ୍ତୁତ କରିଥିଲେ ।
ପୂଜା ପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗା ଯାଇଥିଲା । ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହି ଯାଇଥିଲା । ଉକ୍ତ ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ରାତି ୮ଟାରେ ଅଧରପଣା ନୀତି ଶେଷ ହେବାକୁ ଥିବା ବେଳେ ଏହା ରାତି ୯ଟା ୦୫ରେ ସରିଥିଲା । ପ୍ରଥମେ ତାଳଧ୍ୱଜ ରଥରେ ୮ଟା ୫୦, ଦର୍ପଦଳନ ରଥରେ ୮ଟା ୫୫ ଏବଂ ଶେଷରେ ନନ୍ଦିଘୋଷ ରଥରେ ୯ଟା ୦୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା । ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ଓଡ଼ିଆ ମଠ, ରାଘବଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ । ବିଗତ କିଛିବର୍ଷକୁ ଦେଖିଲେ ଅଧରପଣା ଦିନ ଶ୍ରୀକ୍ଷେତ୍ରରେ ଏତେ ସଂଖ୍ୟାରେ ଭକ୍ତଙ୍କ ଗହଳି ନ ଥାଏ । ଚଳିତବର୍ଷ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅଧରପଣା ନୀତି ଦର୍ଶନ କରିଛନ୍ତି । ଶନିବାର ବାହୁଡ଼ା, ରବିବାର ସୁନାବେଶ ଦୁଇଦିନ ଛୁଟି ଦିନ ଥିବାରୁ ଉଭୟ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସେହିଭଳି ଚଳିତଥର ମଧ୍ୟ ଅଧରପଣା ନୀତି ଦେଖିବାକୁ ସିଂହଦ୍ୱାର ସମେତ ବଡ଼ଦାଣ୍ଡରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।