ଆରମ୍ଭ ହେଲା ଜେଲ୍ ପରେଡ୍
ଅପରାଧୀ ହେବେ ସାବାଡ଼
ଭୁବନେଶ୍ୱର(ବୁ୍ୟରୋ): ରାଜ୍ୟରେ ଜେଲ ଫେରନ୍ତା ଆସାମୀମାନେ ପୁଣି ଅପରାଧ ଘଟାଉଛନ୍ତି । ସାଥି କଏଦୀଙ୍କଠାରୁ ଅପରାଧର ଅତ୍ୟାଧୁନିକ ତରିକା ଜାଣି ଜେଲରୁ ଫେରିବା ସେହି ପଦ୍ଧତି ଅବଲମ୍ବନ କରି ଅଧିକ ଜଘନ୍ୟ ଅପରାଧ ଘଟାଉଛନ୍ତି । ଏହାକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଜେଲ୍ ପରେଡ୍ ଭଳି ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାଦ୍ୱାରା ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ହେବ ମୁସ୍କିଲ । ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଜେଲ ପରିଦର୍ଶନ କରିବେ ଥାନାଧିକାରୀ । ରବିବାର ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚି ଜେଲ ପରେଡ୍ ଆରମ୍ଭ କରିଛନ୍ତି । ଜେଲ ରେଜିଷ୍ଟର ଯାଞ୍ଚ ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ଅଧିକ ତଥ୍ୟ ନେଇଛନ୍ତି । ଅପରାଧୀଙ୍କ ଆଚରଣ ଏବଂ କେତେ ମାମଲାରେ ସମ୍ପୃକ୍ତ ସେନେଇ ତଥ୍ୟ ନିଆଯାଉଛି ।
ସେମାନେ ଘଟାଇଥିବା ଅପରାଧର ତରିକା, ଜେଲରେ କାହା ସହ ମିଶୁଛନ୍ତି, ମୁଲାକାତ ବେଳେ କାହା ସହ ଭେଟୁଛନ୍ତି ସେସବୁର ସବୁର ତର୍ଜମା କରିବେ । ଯଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହିପାରିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ପରେଡରେ ଏସିପି, ସମସ୍ତ ଥାନାର ଆଇଆଇସି ଓ ପିଓପିଡି ଅଧିକାରୀ ସାମିଲ ହୋଇଥିଲେ ।