ବାହୁଡ଼ାରେ ବି ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡ଼ା (ଆପ୍ର): ବୋଲ ମାନୁନି ବ୍ରହ୍ମ ତଳଧ୍ୱଜ ରଥ । ରବିବାର ଅପରାହ୍ଣରେ ମାଉସୀ ମା’ଙ୍କ ମନ୍ଦିର ନିକଟରୁ ରଥ ଟଣା ଆରମ୍ଭ ହୋଇଥିଲା । ହେଲେ ରଥ ମାତ୍ର ୨୦୦ ମିଟର ଗଡିବା ପରେ ବାମ ପାଶ୍ୱର୍କୁ ମାଡି ଯାଇଥିଲା । ଫଳରେ ରଥ ଆଉ ଆଗେଇ ପାରି ନ ଥିଲା । ରେଳବାଇ ପକ୍ଷରୁ ଆସିଥିବା ହାଇଡ୍ରୋଲିକ ଜଗ ଦ୍ୱାରା ରଥକୁ ସଠିକ ଦିଗକୁ ଅଣାଯାଇଥିଲା । ସୂର୍ଯ୍ୟାସ୍ତ ହେବାରୁ ରଥ ଟଣା ଯାଇ ନ ଥିଲା । କିନ୍ତୁ ରଥ ଟାଣିବା ନିମିତ୍ତ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଛି ।
ରବିବାର ହୋଇଥିବାରୁ ରଥ ଟାଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ସକାଳୁ ରଥ ଦାଣ୍ଡରେ ଭିଡ଼ ଆରମ୍ଭ ହୋଇଥିଲା । ଅପରାହ୍ଣ ୩ଟା ବେଳକୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଆଶା ଥିଲା ଆଜି ରଥ ସିଂହଦ୍ୱାରରେ ଲାଗିଯିବ । କିନ୍ତୁ ବ୍ରହ୍ମତାଳଧ୍ୱଜ ମାତ୍ର ୨୦୦ ମିଟର ଗଡିବା ପରେ ବାମ ପାଶ୍ୱର୍କୁ ମାଡିଯାଇଥିଲା । ରଥକୁ ପୁଣି ସଠିକ ଦିଗକୁ ଆଣିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା । ସେତେବେଳେକୁ ସୂର୍ଯ୍ୟାସ୍ତ ହୋଇ ଯାଇଥିଲା । ରଥ ଟାଣିବା ପାଇଁ ପ୍ରଶାସନ ସେବାୟତମାନଙ୍କୁ ନିବେଦନ କରିଥିଲା । କିନ୍ତୁ ସେବାୟତମାନେ କହିଥିଲେ, ସୂର୍ଯ୍ୟାସ୍ତ ପରେ ରଥ ଟଣାଯିବାର ବିଧି ନାହିଁ । ସୂର୍ଯ୍ୟ ଉଦୟ ହେଲେ ରଥ ଟଣା ହେବ । ଏହାକୁ ନେଇ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ରଥ ପାଦେ ଆଗକୁ ଗଡିବ ନାହିଁ ବୋଲି ସେବାୟତମାନେ କହିଥିଲେ । ରଥ ଯଥା ଶୀଘ୍ର ସିଂହଦ୍ୱାରରେ ଲାଗିଲେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ବୋଲି ପ୍ରଶାସନ କହିଥିଲା । କିନ୍ତୁ ସେବାୟତମାନେ ମାନି ନ ଥିଲେ । ଶେଷରେ ପ୍ରଶାସନର ସ୍ୱର ନୀରବି ଯାଇଥିଲା । ରଥ ଗୋଟିଏ ପାଦ ମଧ୍ୟ ଆଗକୁ ଗଡି ନ ଥିଲା ।
ବ୍ରହ୍ମତାଳଧ୍ୱଜ ବୋଲ ନ ମାନିବାର ବିଭିନ୍ନ କାରଣ ରହିଛି ବୋଲି ଜଣେ ଗବେଷକ କହିଛନ୍ତି । ସେ କହିଛନ୍ତି, ଯାହାଙ୍କର ରଥ ଚାଳନାରେ ଦୀର୍ଘ ଅଭିଜ୍ଞତା ରହିଛି ତାଙ୍କୁ ଦାୟିତ୍ୱ ଦିଆଯାଉନାହିଁ । ଯିଏ ପାରିଲା ରଥ ଉପରେ ବସିଲା ଓ ରଥ ଚଳାଇଲା । ଫଳରେ ରଥ ବୋଲ ମାନିଲା ନାହିଁ । ଜଣେ ସେବାୟତ କହିଛନ୍ତି, ରଥ ନିର୍ମାଣରେ ତ୍ରୁତି ରହିଛି । ଚକ ଓ ଅଖ ମଧ୍ୟରେ ଯେତିକି ଫାଙ୍କ ରହିବା କଥା ଏଥର ତାହା ନାହିଁ । ଯାହା ଫଳରେ ରଥ ଠିକ ଭାବେ ଗଡୁନାହିଁ । ଅନ୍ୟପକ୍ଷରେ ସିଂହଦ୍ୱାରରେ ରଥ ନ ଲାଗିବାରୁ ଶ୍ରଦ୍ଧାଳୁ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀକ୍ଷେତ୍ରର ରଥଯାତ୍ରାକୁ ଅନୁସରଣ କରି ତୁଳସୀ କ୍ଷେତ୍ରରେ ରଥଯାତ୍ରା କରାଯାଉଛି । ଶ୍ରୀକ୍ଷେତ୍ରରେ ଯଦି ବାହୁଡା ଦିନ ରଥ ଟଣା ଯାଇ ସିଂହଦ୍ୱାରରେ ଲାଗି ପାରୁଛି ତାହା ହେଲେ ତୁଳସୀ କ୍ଷେତ୍ରରେ ତାହା କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରାଯାଇଛି ।