ମନରେଗା ଦୁର୍ନୀତିରେ ଲାଗିପାରୁନି ରୋକ୍
ନରସିଂହପୁର (ଆପ୍ର): କଟକ ଜିଲ୍ଲା ନରସିଂହପୁର ବ୍ଲକରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଜାଣିବାକୁ ମିଳିଛି । ସାଧାରଣ ଲୋକଙ୍କ ଚଳିବା ଓ ପେଟପାଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କର ୧୦୦ ଦିନ ନିଶ୍ଚୟ କର୍ମନିଯୁକ୍ତି ଯୋଜନାରେ ସାମିଲ କରାଇ କାର୍ଯ୍ୟ ଯୋଗାଇ ଦେବାର ନିୟମ ରହିଛି । ଏଥିପାଇଁ ଅନେକ ଆକ୍ଟ ମଧ୍ୟ କାର୍ଯ୍ୟକାରୀ ହେଉଥିବା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିିମ ପିଟୁଥିବା ବେଳେ ଏଥିରେ ମହାଘୋଟାଲା କଥା ନରସିଂହପୁର ବ୍ଲକରେ ଦେଖିବାକୁ ମିଳିଛି । ବ୍ଲକର ରଣସିଙ୍ଘପୁର ପଞ୍ଚାୟତର ଚତରାପଦା ପୋଖରୀ ପୁନରୁଦ୍ଧାର କାମରେ ୧ଲକ୍ଷ ୮୫ହଜାର ୧ଶହ ୪୮ଟଙ୍କା ଟଙ୍କାରେ ଚୂନ ମରାଯାଇଛି । କାର୍ଯ୍ୟରେ ମିଛ ଦସ୍ତଖତ କରାଇ ଶ୍ରମିକଙ୍କ ଅଜ୍ଞାତରେ ୧୩୯ଜଣ ଶ୍ରମିକ କାମ ମାଗିଥିବା ଦର୍ଶାଯାଇଛି । କିନ୍ତୁ ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାଇ କାର୍ଯ୍ୟ ନକରି ମଧ୍ୟ ସେମାନଙ୍କ ଖାତାକୁ କେମିତି ୧୩୩୨ ଟଙ୍କା ଆସିଲା ବୋଲି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ପୋଖରୀରେ ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାର୍ଯ୍ୟ କରାଯାଇ ଶ୍ରମିକଙ୍କ ଜବକାଡ଼ ପକାଇ ଜାଲ ଦସ୍ତଖତ କରାଇ ଟଙ୍କା ଉଠାଇଥିବା କଥା ଗ୍ରାମବାସୀମାନେ ଜାଣିବାକୁ ପାଇଛନ୍ତି । ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଇଙ୍ଗିତରେ ରଣସିଙ୍ଘପୁର ପଞ୍ଚାୟତର ଅସାଧୁ ବ୍ୟକ୍ତି ଉକ୍ତ ଲୋକଙ୍କ ଖାତାରୁ ଟଙ୍କା ଉଠାଇ ନେଇଥିବା କଥା ଶ୍ରମିକମାନେ ପ୍ରକାଶ କରିଛନ୍ତି ।
ସୂଚନାରୁ ପ୍ରକାଶ ଯେ ଏହି କାର୍ଯ୍ୟପାଇଁ ସରକାରଙ୍କ ପକ୍ଷରୁ ୬ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ସ୍ଥିରୀକୃତ ହୋଇଛି କିନ୍ତୁ ମେସିନ ସାହାଯ୍ୟରେ କାର୍ଯ୍ୟ କରାଇ ଶ୍ରମିକଙ୍କ ପେଟକୁ ଲାତ ମରାଯାଇଛି । ଅଲରା ପଞ୍ଚାୟତ କାଉଖିଆ ରାସ୍ତା ଉନ୍ନତିକରଣ ନାମରେ ୨ଲକ୍ଷ ୫୭ହଜାର ୩ଶହ ୯୯ଟଙ୍କା ଶ୍ରମିକଙ୍କ ନାମରେ ଚଳୁ କରାଯାଇଛି । ସେହିପରି ବାଲିସାହି ପଞ୍ଚାୟତରେ ଦୁର୍ନୀତିର ଚେର ମଧ୍ୟ ଲମ୍ବିବାରେ ଲାଗିଛି । ଚଳିତ ବର୍ଷ ନାଳବନ୍ଧ ପୁନରୁଦ୍ଧାର ନାମରେ ୨ଲକ୍ଷ ୪୪ ହଜାର ୭ଶହ ୮୮ଟଙ୍କା ଉଠାଯାଇଛି । ଜେସିବ ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାର୍ଯ୍ୟକରି ଲୋକଙ୍କ ନାମରେ ଟଙ୍କା ଉଠାଯାଇ ଲୋକଙ୍କୁ ଚୂନ ମରାଚାଲିଛି । ଲୋକଙ୍କ ଜବକାଡ଼ ମାଧ୍ୟମରେ ଟଙ୍କା ଆସୁଛି ଓ ପଛରେ ଜିଆରଏସ ଟଙ୍କା ଉଠାଇ ନେଇଥିବା କଥା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ କୂଅ ପୋଖରୀ ନାମରେ ପୁରୁଣା କୂଅ ଓ ପୋଖରୀକୁ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା କଥା ଅଭିଯୋଗ ହୋଇଛି । ଭିଜିଲାନ୍ସ ତଦନ୍ତ ହେଲେ ମନରେଗାରେ ହୋଇଥିବା ଦୁର୍ନୀତିର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସ୍ଥାନିୟ ବିଜେପି ନେତା ଦାବି କରିଛି ।