ଆଜି ସିଂହାସନ ମାର୍ଜନା କରିବେ ବଡ଼ଓଡ଼ିଆ ମଠ ମହନ୍ତ

ବନ୍ଧାଯିବ କନକମୁଣ୍ଡି ଚାନ୍ଦୁଆ, ନୀଳଚକ୍ରରେ ଉଡ଼ିବ ୧୬ ହାତର ଧ୍ୱଜା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ମଠଗୁଡ଼ିକର ସମ୍ପର୍କ ବହୁପ୍ରାଚୀନ କାଳରୁ ରହିଆସିଛି । ସମ୍ପ୍ରତି ସେହି ପରମ୍ପରା କେତେକାଂଶରେ ଲୋପ ପାଇଯାଇଥିଲେ ହେଁ, କେତେକ ରୀତିନୀତି, ବେଶ, ପର୍ବପର୍ବାଣୀ ସହ ନିର୍ଦ୍ଦିଷ୍ଟ ମଠମାନଙ୍କ ସମ୍ପର୍କ ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏହି ମଠଗୁଡ଼ିକ ମଧ୍ୟରୁ ବଡ଼ଓଡ଼ିଆ ମଠ ଅନ୍ୟତମ । ମଙ୍ଗଳବାର ନୀଳାଦି୍ରବିଜେ । ରତ୍ନସିଂହାସନକୁ ଫେରିବେ ଚତୁର୍ଦ୍ଧାବିଗ୍ରହ । ବଡ଼ଓଡ଼ିଆ ମଠ ପକ୍ଷରୁ ରତ୍ନସିଂହାସନ ଊପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯିବ । ଏଥିସହ ମଠ ମହନ୍ତ ସିଂହାସନ ମାର୍ଜନା କରିବେ ଏବଂ ନୀଳଚକ୍ରରେ ମଠ ପକ୍ଷରୁ ଧ୍ୱଜା ବନ୍ଧାଯିବା ପରେ ରଥାରୂଢ଼ ଠାକୁର ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ଆସିବା ପରମ୍ପରା ରହିଛି ।
ଏ ସମ୍ପର୍କରେ ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ କୁହନ୍ତି, ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ବଡ଼ଓଡ଼ିଆ ମଠ ରତ୍ନସିଂହାସନର ରକ୍ଷଣାବେକ୍ଷଣ ଏବଂ ମାର୍ଜନା କରିଆସୁଛନ୍ତି । ପରମ୍ପରା ମୁତାବକ, ନୀଳାଦି୍ରବିଜେ ସକାଳେ ରତ୍ନସିଂହାସନ ଉପରେ ମଠ ପକ୍ଷରୁ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯିବ । ଏଥିପାଇଁ ୬୮ମିଟରରୁ ଊଦ୍ଧ୍ୱର୍ ପାଟ ଏବଂ ସୂତା କପଡ଼ାରେ ଚାନ୍ଦୁଆ ତିଆରି ସରିଛି । ସେହିପରି ମଠ ପକ୍ଷରୁ ନୀଳଚକ୍ରରେ ୧୬ ହାତର ପତାକା(ଧ୍ୱଜା) ବିନା ଦେୟରେ ବନ୍ଧାଯିବ । ସନ୍ଧ୍ୟାଧୂପ ପରେ ସିଂହାସନ ମାର୍ଜନା ହେବ ବୋଲି ମଠ ମହନ୍ତ କହିଛନ୍ତି ।
ସିଂହାସନ ମାର୍ଜନା
ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ବଡ଼ଓଡ଼ିଆ ମଠ ମହନ୍ତମାନେ ରତ୍ନସିଂହାସନ ମାର୍ଜନା କରିଆସୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନଠାରୁ ସୂଚନା ପାଇବା ପରେ ମଠମହନ୍ତ ଆଲଟ, ଚାମର, ଘଣ୍ଟ, ମୃଦଙ୍ଗ, କାହାଳୀ ଶୋଭାଯାତ୍ରାରେ ମେହେନାରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହାରନ୍ତି । ପଶ୍ଚିମଦ୍ୱାରରେ ମେହେନା ପହଞ୍ଚିବା ପରେ ମହନ୍ତ ଭିତରକୁ ପ୍ରବେଶ କରନ୍ତି । ଗର୍ଭଗୃହ ଭିତରକୁ ଯାଇ ସିଂହାସନ ମାର୍ଜନା କରିଥାନ୍ତି । ପୂର୍ବରୁ ମଠରେ ଘୋରା ଯାଇଥିବା ୭୫୦ ଗ୍ରାମ୍ର ଚନ୍ଦନ, ୧୦ ଗ୍ରାମ କର୍ପୁର, ୨ ଗ୍ରାମ୍ କେଶର, ୧ ଗ୍ରାମ୍ କସ୍ତୁରୀ ଏବଂ ୨୫୦ ଗ୍ରାମ୍ ଚୁଆରେ ମହନ୍ତ ସିଂହାସନ ମାର୍ଜନା କରନ୍ତି । ପ୍ରାୟ ୨ଘଣ୍ଟା ଧରି ମାର୍ଜନା ହୁଏ । ମାର୍ଜନା ସରିବା ପରେ ସିଂହଦ୍ୱାର ଦେଇ ମଠ ମହନ୍ତ ଫେରିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *