ମାଲ୍ୟାଙ୍କୁ ୪ମାସ ଜେଲ୍ ଦଣ୍ଡ
୪ ସପ୍ତାହରେ ଫେରସ୍ତ ଦେବେ ୩୧୭ କୋଟି ଟଙ୍କା
ନୂଆଦିଲ୍ଲୀ (ଏଜେନ୍ସି): ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗ୍ଫିସର କମ୍ପାନୀ ମାଲିକ ବିଜୟ ମାଲ୍ୟାଙ୍କୁ ୪ମାସ ଜେଲ୍ ସହ ୨ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ କରାଯାଇଛି । ସୋମବାର ସୁପ୍ରିମ୍କୋର୍ଟ ଏହି ମାମଲା ଉପରେ ଶୁଣାଣି କରିଥିବା ବେଳେ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି । ଏତଦ୍ବ୍ୟତୀତ ୪ ମାସ ମଧ୍ୟରେ ଜରିମାନା ଅର୍ଥ ପୈଠ କରାନଗଲେ ମାଲ୍ୟାଙ୍କ ଜେଲ୍ଦଣ୍ଡ ଅବଧି ଆଉ ୨ ମାସ ବୃଦ୍ଧି କରାଯିବ ବୋଲି ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।
ପୂର୍ବ ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଦେ୍ର୍ଦଶ ଥିଲା ଯେ, ଦେଶ ଛାଡି ପଳାଇଥିବା ମାଲ୍ୟା ଭାରତରେ ଥିବା ନିଜ ପିଲାମାନଙ୍କ ପାଖକୁ କୌଣସି ଅର୍ଥ ପଠାଇପାରିବେ ନାହିଁ । କିନ୍ତୁ ମାଲ୍ୟା ବିଦେଶରୁ ହିଁ ନିଜ ପିଲାଙ୍କ ପାଖକୁ ପ୍ରାୟ ୪ଠ ନିୟୁତ ଡଲାର୍ (୩୧୭ କୋଟି ଟଙ୍କା) ଟ୍ରାନ୍ସଫର୍ କରିଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା । ସୁୂତରାଂ ମେ ୯, ୨ଠ୧୭ରେ ତାଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟ ଏହି ସମୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସେହିପରି ୨ଠ୨ଠରେ ମାଲ୍ୟା, ୨ଠ୧୭ରେ ତାଙ୍କ ବିରୋଧରେ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହାକୁ ଖାରଜ କରିଦିଆଯାଇଥିଲା । ଏହାପରେ ୨ଠ୨ଠ ମାର୍ଚ୍ଚ ୧ଠରେ ସୁପ୍ରିମକୋର୍ଟ ମାଲ୍ୟାଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାର ଚୂଡାନ୍ତ ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ।
ସୋମବାର ଶୁଣାଣି କାଳରେ ସୁପ୍ରିମକୋର୍ଟ ଆଉ ଏକ ବଡ଼ ରାୟ ମଧ୍ୟ ଦେଇଛନ୍ତି । ବିଚାରପତି ୟୁୟୁ ଲଳିତ, ବିଚାରପତି ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ବିଚାରପତି ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ମାଲ୍ୟା ତାଙ୍କ ପିଲାମାନଙ୍କ ବିଦେଶୀ ଆକାଉଣ୍ଟକୁ ପଠାଇଥିବା ୪ଠ ନିୟୁତ ଡଲାର ଅର୍ଥ ସମ୍ପୂର୍ଣ୍ଣ ବେଆଇନ୍ । ସୁତରାଂ ୮% ସୁଧ ସହ ଏହି ଅର୍ଥକୁ ଆସନ୍ତା ୪ ସପ୍ତାହ ମଧ୍ୟରେ ମାଲ୍ୟାଙ୍କ ପିଲାମାନେ ଫେରସ୍ତ କରିଦେବା ଉଚିତ୍ । ଯଦି ଏହି ସମୟ ସୁଦ୍ଧା ଅର୍ଥରାଶି ଫେରସ୍ତ ନମିଳେ ତେବେ ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ କରାଯିବ । ତେବେ ଏପ୍ରକାର ଦଣ୍ଡାଦେଶକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଖଣ୍ଡପୀଠ କହିଛନ୍ତି ଯେ, ମାଲ୍ୟାଙ୍କୁ ନିଜ କୁକର୍ମ ପାଇଁ କୌଣସି ଅନୁଶୋଚନା ନଥିବା ବେଳେ ଏପ୍ରକାର ଦଣ୍ଡ ଦିଆଯାଉଛି । ସୂଚନାଯୋଗ୍ୟ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ନେତୃତ୍ୱାଧୀନ ବ୍ୟାଙ୍କ ସମୂହ ବିଜୟ ମାଲ୍ୟାଙ୍କ ନାଁରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ସନ୍ ଡିଏଗୋରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନରୁ ମାଲ୍ୟା ପାଇଥିବା ୪ଠ ନିୟୁତ ଡଲାର୍ ଅର୍ଥକୁ ସେ ନିଜ ପିଲାମାନଙ୍କ ବିଦେଶୀ ଆକାଉଣ୍ଟରେ ଜମା କରାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅର୍ଥକୁ ଫେରସ୍ତ ଦେବା ପାଇଁ ନିଦେ୍ର୍ଦଶ ଦେବାକୁ ବ୍ୟାଙ୍କ୍ ସମୂହ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ।
ପ୍ରକାଶ, ମାଲ୍ୟା କେବଳ ନିଜ ପିଲାଙ୍କ ପାଖକୁ ଟଙ୍କା ପଠାଇବା ନେଇ ଅଦାଲତ ଅବମାନନା କରିଛନ୍ତି ତାହା ନୁହେଁ ବରଂ ତାଙ୍କ ବିରୋଧରେ ଥିବା ୯ଠଠଠ କୋଟି ଟଙ୍କାର ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ବାରମ୍ବାର ନୋଟିସ୍ କରାଯିବା ସତ୍ତ୍ୱେ ମାଲ୍ୟା ଏହାକୁ ମାନିନାହାନ୍ତି । ଏତଦ୍ବ୍ୟତୀତ ସେ ନିଜ ସମ୍ପତ୍ତି ସମ୍ପର୍କୀତ ଭୁଲ୍ ତଥ୍ୟ କୋର୍ଟରେ ଦାଖଲ କରିଥିବା ମଧ୍ୟ ପରବର୍ତ୍ତୀ ସମୟରେ ଜଣାପଡିଛି । ଏନେଇ ମଧ୍ୟ ମାଲ୍ୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସମ୍ପ୍ରତି ମାଲ୍ୟା ବ୍ରିଟେନ୍ରେ ଥିବା ଜଣାପଡିଥିଲେ ମଧ୍ୟ ଭାରତ ସରକାର ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଇବାରେ ସଫଳ ହୋଇପାରିନାହାନ୍ତି । ଅନ୍ୟପକ୍ଷେ ମାଲ୍ୟାଙ୍କ ଅନୁପସ୍ଥିତିରେ ମଧ୍ୟ ତାଙ୍କ ବିରୋଧୀ ମାମଲା ଆଗକୁ ବଢ଼ିବ ବୋଲି ସୁପ୍ରିମକୋର୍ଟ ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।