ଜିଲ୍ଲାପାଳ ଅଫିସ୍ ଘେରିଲେ ପିଡିଏସ୍ ଡିଲର୍ ସଂଘ
ଯାଜପୁର (ଆପ୍ର): ଯାଜପୁର ପିଡିଏସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ଜୁଲାଇ ୪ରେ ବ୍ଲକ୍ସ୍ତରୀୟ ବିକ୍ଷୋଭ କରାଯାଇଥିବା ବେଳେ ଆଜି ଜିଲ୍ଲାସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ଆସନ୍ତା ଅଗଷ୍ଟ ୨ରେ ଦିଲ୍ଲୀ ସ୍ଥିତ ସଂସଦ ଭବନ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ର ସରକାରଙ୍କୁ ଦୀର୍ଘ ବର୍ଷ ହେବ ଖାଦ୍ୟ ଶସ୍ୟ ବିତରଣ ବାବଦକୁ ପ୍ରତି କ୍ୱିଣ୍ଟାଲରେ ୪୫୦କୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଥିବା ବେଳେ ଏଥିପ୍ରତି କେନ୍ଦ୍ର କୌଣସି ନିଷ୍ପତ୍ତି ନେଲାନାହିଁ । କେବଳ ଏପ୍ରିଲ ୨୦୨୨ରୁ ଡିଲର କମିଶନ ରାଶି କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଓ ପାହାଡ଼ିଆ ଉତ୍ତରପୂର୍ବ ରାଜ୍ୟକୁ କ୍ୱିଣ୍ଟାଲ ପିଛା ୩୭ ଟଙ୍କା ବୃଦ୍ଧି କରାଇଛନ୍ତି । ଦୀର୍ଘ ୨୩ ମାସ ହେବ ଡିଲର କମିଶନ ପାଇବାରୁ ବଞ୍ଚôତ ହୋଇଛନ୍ତି । ଡିଲର କମିଶନ ରାଶି କ୍ୱିଣ୍ଟାଲ ପିଛା ୪୫୦ ଟଙ୍କା ପ୍ରଦାନ ନଚେତ ଡିଲରଙ୍କୁ ମାସିକ ୫୦ ହଜାର ଟଙ୍କା ରୋଜଗାରକୁ ସୁନିଶ୍ଚିତ କରାଇବା, ଖାଦ୍ୟ ଶସ୍ୟ ବିକ୍ରୟ ସମୟରେ କ୍ଷତି ଭରଣ ପାଇଁ କ୍ୱିଣ୍ଟାଲ ପ୍ରତି ୧ କିଲୋଗ୍ରାମ ଭରଣ, ପ୍ରତି ରାସନ କାର୍ଡରେ ଖାଇବା ତେଲ ଓ ଡାଲି ଯୋଗାଇବା, ସମସ୍ତ ଏଫ୍ପିଏସ କେନ୍ଦ୍ରକୁୁ ଏଲପିଜି ଗ୍ୟାସ ସିଲିଣ୍ଡର (୫ ଲିଟର) ବିତରଣ ପାଇଁ ଅନୁମତି ସମେତ ଅନ୍ୟାନ୍ୟ ଦାବିକୁ ଭିତ୍ତି କରି ଏହି ଆନେ୍ଦାଳନ କରାଯାଇଛି । ଦାବିପତ୍ର ପ୍ରଦାନବେଳେ ସଭାପତି ବାସୁଦେବ ବେହେରା, ଉପସଭାପତି ଲକ୍ଷ୍ମୀନାରାୟଣ ଅଗ୍ରୱାଲ ରାଜେଶ କୁମାର ପଣ୍ଡା, ଶରତ ଚନ୍ଦ୍ର ବିଶ୍ୱାଳ, ରବିନାରାୟଣ ଜେନା, ମୂରଲୀଧର ସାହୁ, ନାରାୟଣ ଜେନା, ନରୋତ୍ତମ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ହୃଷିକେଶ ବାରିକ, ପ୍ରଭାତ ଚନ୍ଦ୍ର ପାଣିଗ୍ରାହୀ, ରାମଚନ୍ଦ୍ର ସ୍ୱାଇଁ, ମାଧବାନନ୍ଦ ସାହୁ, ରଞ୍ଜନ ମିଶ୍ର, ଗୌରାଙ୍ଗ ସାହୁ, ଦେବାଶିଷ ବୈଶାଖଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳର ଡିଲର୍ସମାନେ ଯୋଗ ଦେଇଥିଲେ ।