ବଡ଼ଦାଣ୍ଡ ଜନସମୁଦ୍ର

ପୁରୀ, ୧ଠା୭(ବୁ୍ୟରୋ): ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଗଣଦେବତା ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଶାନ୍ତି ଶୃଙ୍ଖଳାର ସହ ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ସମ୍ପନ୍ନ ହୋଇଛି । ରଥ ଉପରେ ଅପୂର୍ବ ସୁନାବେଶ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ଧନ୍ୟ ମନେ କରିଛନ୍ତି । ସୁନାବେଶ ଦେଖିବା ନିମିତ୍ତ ବଡ଼ଦାଣ୍ଡରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି । ପାଗ ଅନୁକୂଳ ଥିବାରୁ ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଗହଳି ଲାଗିଥିଲା । ଟାଣ ଖରାକୁ ଖାତିର ନ କରି ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରମୁହାଁ ହୋଇଥିଲେ ଓ ଅପରାହ୍ଣ ସୁଦ୍ଧା ବଡ଼ଦାଣ୍ଡରେ ସୋରିଷ ପକାଇବାକୁ ରାହା ନ ଥିଲା । ଅଗଣିତ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ଅପରାହ୍ନ ସାଢେ ୬ଟା ମଧ୍ୟରେ ସାରିବା ଲାଗି ଧାର୍ଯ୍ୟ ହୋଇଥିଲା । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଯୋଗୁଁ ୫ଟା୧୦ରେ ବେଶ ସଜ୍ଜା ଶେଷ କରାଯାଇ ଦର୍ଶନ ଆରମ୍ଭ ହୋଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସିଂହଦ୍ୱାର ରଥ ପାଖରୁ ମାର୍କେଟଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଥିଲା । ଭକ୍ତମାନେ ବାରିକେଡ୍ରେ ଯାଇ ରଥାରୂଢ଼ ଦାରୁବିଗ୍ରହଙ୍କ ସୁନାବେଶ ଦର୍ଶନ କରି ଭାବବିହ୍ୱଳ ହୋଇପଡିଥିଲେ ।
ପୂର୍ବାହ୍ନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର (ବାହାର ଭଣ୍ଡାର)ଖୋଲା ଯାଇଥିଲା । ଭଣ୍ଡାର ଘରୁ ଠାକୁରଙ୍କ ଅଳଙ୍କାରମାନ ବାହାର କରାଯାଇ ସଫା ହୋଇଥିଲା । ଅପରାହ୍ଣ ୩ଟା ସୁଦ୍ଧା ଅଳଙ୍କାରଗୁଡ଼ିକ ରଥ ନିକଟରେ ବିଜେ ହୋଇ ମହାପ୍ରଭୁଙ୍କୁ ସାଜସଜା ଆରମ୍ଭ କରାଯାଇଥିଲା । ପୁଷ୍ପାଳକ ପାଳିଆ ସେବକ ଏବଂ ଦଇତାପତିମାନେ ମିଳିତ ଭାବେ ବେଶ କରିଥିଲେ । ଠାକୁରମାନଙ୍କ ଶ୍ରୀମସ୍ତକରେ କୀରୀଟ, ଗଳାରେ ମାଳା, ଓଡିଆଣି, କାନ କୁଣ୍ଡଳ ଆଦି ଧାରଣ କରିଥିଲେ । ବଡ଼ଠାକୁର ସୁନାର ହଳମୂଷଳ ଏବଂ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ, ଚକ୍ର ସହିତ ଶ୍ରୀହସ୍ତ, ଶ୍ରୀପୟର ଆଦି ଲାଗି କରାଯାଇଥିଲା । ରତ୍ନସିଂହାସନରେ ସୁନାବେଶ ସମୟରେ ଠାକୁର ରାହୁରେଖା ଏବଂ ରତ୍ନଖଚିତ ଚିତା ଧାରଣ କରିଥାନ୍ତି । କିନ୍ତୁ ରଥରେ ସୁନାବେଶ ସମୟରେ ଠାକୁର ରାହୁରେଖା ଏବଂ ରତ୍ନଖଚିତ ଚିତା ଧାରଣ କରି ନ ଥାନ୍ତି । ରଥାରୁଢ ଠାକୁର ସୁନାବେଶରେ ସୋଲରେ ଚିତା ଧାରଣ କରିଥାନ୍ତି । ଏହି ଅବସରରେ ପ୍ରଶାସନ ପକ୍ଷରୁବଡଦାଣ୍ଡରେ ଉଜ୍ଜ୍ୱଳ ଆଲୋକ ଓ ପାନୀୟଜଳ ବ୍ୟବସ୍ଥା ହୋଇଥିଲା । ଶ୍ରଦ୍ଧାଳୁମାନେ ୱାନ୍ୱେ ଟ୍ରାଫିକ୍ରେ ଯାଇ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିିଥିଲେ । ମାର୍କେଟ ଛକଠାରୁ ସିଂହଦ୍ୱାର ଯାଏ ଗହଳି ଭିତରେ ସାଧା ପୋଷାକଧାରୀ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇ ଲୁଟେରାଙ୍କ ଉପରେ କଡ଼ା ନଜର ରଖାଯାଇଥିଲା । ମେଡିକାଲ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବାଇକ୍ ଓ ସାଇକେଲ ବନ୍ଦ କରାଯାଇଥିଲା । ଭକ୍ତମାନେ ରଥାରୂଢ଼ ଶ୍ରୀଜୀଉଙ୍କୁ ସୁନାବେଶ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ଟ୍ରାଫିକ୍ ପରିଚାଳନାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୭୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *