ଜୋକୋଭିଚ୍ଙ୍କୁ ୨୧ତମ ଗ୍ରାଣ୍ଡ୍ସ୍ଲାମ୍
ୱିମ୍ବଲଡନ୍ ପୁରୁଷ ଏକକ
ଲଣ୍ଡନ, ୧ଠା୭ (ଏଜେନ୍ସି): ସର୍ବୀୟ ସୁପର୍ଷ୍ଟାର୍ ନୋଭାକ୍ ଜୋକୋଭିଚ୍ ରବିବାର ଅନ୍ସିଡ୍ ଅଷ୍ଟ୍ରେଲୀୟ ନିକ୍ କିର୍ଗିଓସ୍ଙ୍କୁ ହରାଇ କ୍ୟାରିଅରର ସପ୍ତମ ୱିମ୍ବଲଡନ୍ ମୁକୁଟ ହାସଲ କରିଛନ୍ତି । ଅଲ୍ ଇଂଲଣ୍ଡ କ୍ଲବ୍ରେ ଟପ୍ ସିଡ୍ ଜୋକୋଭିଚ୍ କ୍ରମାଗତ ଚତୁର୍ଥ ଥର ବିଜେତା ହେବା ସହିତ ତାଙ୍କ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ସଂଖ୍ୟା ୨୧ରେ ପହଞ୍ଚିଛି ।
ସଂଘର୍ଷପୂର୍ଣ୍ଣ ପୁରୁଷ ଏକକ ଫାଇନାଲ୍ ମୁକାବିଲାରେ ଜୋକୋଭିଚ୍ ୪-୬, ୬-୩, ୬-୪, ୭-୬ (୩) ସେଟ୍ରେ କିର୍ଗିଓସ୍ଙ୍କୁ ପରାସ୍ତ କରିଥିଲେ । ଏହା ତାଙ୍କର ୩୧ତମ ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ଥିଲା । ପ୍ରଥମ ସେଟ୍ ହାରିବା ପରେ ଜୋକୋଭିକ୍ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ସେଟ୍ ଜିତିଥିଲେ । ଚତୁର୍ଥ ସେଟ୍ ୬-୬ରେ ବରାବର ରହିଥିଲା । ଏହାପରେ ଟାଇବ୍ରେକର୍ରେ ଜୋକୋଭିଚ୍ ବାଜିମାତ୍ କରିଥିଲେ । ସ୍ପେନୀୟ ତାରକା ରାଫେଲ୍ ନାଡ଼ାଲ୍ଙ୍କ ନାମରେ ସର୍ବାଧିକ ୨୨ ଗ୍ରାଣ୍ଡ୍ସ୍ଲାମ୍ ରହିଛି । ଏହି ତାଲିକାରେ ୩୫ବର୍ଷୀୟ ଜୋକୋଭିଚ୍ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି । ୨୦ ମେଜର୍ ମୁକୁଟ ସହ ସ୍ୱିସ୍ ତାରକା ରୋଜର ଫେଡ଼େରର୍ ତୃତୀୟ ସ୍ଥାନକୁ ଖସିଆସିଛନ୍ତି ।