ଲେମ୍ବୁ ବିକାଳିଙ୍କୁ ବୀଭତ୍ସ ହତ୍ୟା
ଜଣେ ଅଟକ, ଏସ୍ପିଙ୍କ ଘଟଣାସ୍ଥଳ ପରିଦର୍ଶନ
ବ୍ରହ୍ମପୁର (ବୁ୍ୟରୋ): କିଛି ଦିନ ବ୍ୟବଧାନରେ ଦିଗପହଣ୍ଡି ଥାନା ଇଲାକାରେ ଘଟିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ୍ ମହୁରୀ କାଳୁଆ ଅନନ୍ତେଇ ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା କଡ଼ରୁ ରବିବାର ସକାଳେ ଜଣେ ଯୁବକଙ୍କ ଶବକୁ ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଖଲାସି ସାହିର ଲେମ୍ବୁ ବିକାଳି ଶିବ ବେହେରା । ମୃତ ଶିବଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଦେଇ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।
ଖବର ପାଇ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଦିଗପହଣ୍ଡି ପୁଲିସକୁ ନିଦେ୍ର୍ଦଶ ଦେଇଛନ୍ତି । ଏନେଇ ଦିଗପହଣ୍ଡି ଥାନା ପୁୂଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା କହିଛନ୍ତି । ଘଟଣାସ୍ଥଳରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଥିବାବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଶିବଙ୍କ ଜଣେ ସହଯୋଗୀକୁ ଥାନାରେ ଅଟକ ରଖି ପଚରା ଉଚରା କରିଥିବା କହିଛି । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶିବ ତାଙ୍କର ଜଣେ ବନ୍ଧୁଙ୍କ ସହ ଶନିବାର ଅପରାହ୍ନରେ ଘରୁ ବାହାରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଆଉ ଫେରି ନ ଥିଲେ ବୋଲି ପରିବାର ଲୋକେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଶିବ ଯେଉଁ ବନ୍ଧୁଙ୍କ ସହ ଯାଇଥିଲେ ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଜଣେ ଲେମ୍ବୁ ବିକାଳିଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।