ସୂର୍ଯ୍ୟଙ୍କ ଚମକ ସତ୍ତ୍ୱେ ପରାଜୟ
ଭାରତ ୨-୧ରେ ଶୃଙ୍ଖଳା ବିଜୟୀ
ନଟିଂହାମ୍, ୧୦ା୭ (ଏଜେନ୍ସି): ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଭାରତ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ୧୭ ରନ୍ରେ ପରାସ୍ତ ହୋଇଛି । ତେବେ ଟିମ୍ ଇଣ୍ଡିଆ ୨-୧ରେ ଶୃଙ୍ଖଳା ଜିତିଛି । ଇଂଲଣ୍ଡ ପକ୍ଷରୁ ୩ ୱିକେଟ୍ ନେଇଥିବା ରିସି ଟପ୍ଲେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଇଂଲଣ୍ଡ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରବି ବିଷ୍ଣୋଇ, ଉମରାନ ମଲିକ, ଶ୍ରେୟାସ ଆୟର ଓ ଆଭେଶ ଖାଁ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଯୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି ।
ଜାସନ ରୟ ଓ ଅଧିନାୟକ ଜୋସ୍ ବଟ୍ଲର୍ଙ୍କ ଓପନିଂ ଯୋଡ଼ି ୩୧ ରନ୍ରେ ଭାଙ୍ଗିଥିଲା । ବଟ୍ଲର୍ ୧୮ ରନ୍ କରି ଅଭେଶଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ପାୱାରପ୍ଲେରେ ଟିମ୍ର ସ୍କୋର୍ ହୋଇଥିଲା ୫୧/୧ । ଟିମ୍ର ସ୍କୋର୍ ୬୧ ହୋଇଥିବା ବେଳେ ଜାସନ (୨୭)ଙ୍କୁ ପାଭିଲିଅନ୍ ପଠାଇଥିଲେ ଉମରାନ୍ । ୧୦ମ ଓଭର୍ରେ ଫିଲ୍ ସଲ୍ଟଙ୍କ ୱିକେଟ୍ ହର୍ଷଲ ପଟେଲ୍ଙ୍କ ଖାତାକୁ ଯାଇଥିଲା ।
ଏହାପରେ ଡେଭିଡ୍ ମଲାନ୍ ଦ୍ରୁତ ବ୍ୟାଟିଂ କରି ଇନିଂସ୍କୁ ଆଗେଇ ନେଇଥିଲେ । ସେ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ମଲାନ୍ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୮୪ (୪୨ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ୧୮ତମ ଓଭର୍ରେ ରବି ଏହି ଯୋଡ଼ି ଭାଙ୍ଗିଥିଲେ । ମଲାନ୍ ୩୯ ବଲ୍ରୁ ୭୭ ରନ୍ କରି ୱିକେଟ୍ ପଛରେ ରିଷଭ ପନ୍ତଙ୍କୁ କ୍ୟାଚ୍ ଦେଇଥିଲେ । ତାଙ୍କ ଇନିଂସ୍ରେ ୬ ଚୌକା ଓ ୫ ଛକା ରହିଥିଲା । ଉକ୍ତ ଓଭର୍ରେ ମୋଇନ୍ ଅଲୀ ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ । ହାରୀ ବ୍ରୁକ୍ ୧୯ ରନ୍ କରି ହର୍ଷଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଶେଷ ବଲ୍ରେ କ୍ରିସ୍ ଜୋର୍ଡାନ୍ (୧୧) ରନ୍ଆଉଟ୍ ହୋଇଯାଇଥିଲେ ।
ଇଂଲଣ୍ଡ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା । ଲିଭିଙ୍ଗ୍ଷ୍ଟୋନ୍ ୨୯ ବଲ୍ରୁ ୪୨ ରନ୍ କରି ଅପରାଜିତ ଥିଲେ ।
ଭାରତ ପକ୍ଷରୁ ରବି ଓ ହର୍ଷଲ ୨ଟି ଲେଖାଏଁ ଏବଂ ଅଭେଶ, ଉମରାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଉମରାନ ସବୁଠାରୁ ମହଙ୍ଗା ବୋଲର୍ ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର୍ରେ ୫୬ ରନ୍ ଦେଇଥିଲେ ।
୨୧୬ ରନ୍ର ବଡ଼ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ମାତ୍ର ୩୧ ରନ୍ରେ ୩ ୱିକେଟ୍ ହରାଇଥିଲା । ରିଷଭ ପନ୍ତ ୧ ରନ୍ କରି ରିଚି ଟପ୍ଲେଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ୧୧ ରନ୍ କରି ଡେଭିଡ୍ ୱିଲୀଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ରୋହିତ ଶର୍ମା (୧୧) ମଧ୍ୟ ନିରାଶ କରିଥିଲେ । ତାଙ୍କ ୱିକେଟ୍ ଟପ୍ଲେଙ୍କ ଖାତାକୁ ଯାଇଥିଲା ।
ଏହାପରେ ସୂର୍ଯ୍ୟକୁମାର ଯାଦବ ନୂଆ ବ୍ୟାଟର୍ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୧୯ (୬୧ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଇତ୍ୟବସରେ ସୂର୍ଯ୍ୟକୁମାର ଯାଦବ ୩୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୫ ଓଭର୍ରେ ସ୍କୋର୍ ୧୫୦ ଛୁଇଁଥିଲା । ୧୬ତମ ଓଭର୍ର ପ୍ରଥମ ବଲ୍ରେ ଆୟର (୨୮) ଟପ୍ଲେଙ୍କ ଚତୁର୍ଥ ଶିକାର ହୋଇଥିଲେ ।
ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଦିନେଶ କାର୍ତ୍ତିକ । ଅନ୍ୟପଟେ ସୂର୍ଯ୍ୟକୁମାର ୪୮ ବଲ୍ରୁ ଶତକ ପୂରଣ କରିଥିଲେ । କିନ୍ତୁ କାର୍ତ୍ତିକ (୬)ଙ୍କ ଇନିଂସ୍ ବେଶୀ ବାଟ ଯାଇ ନ ଥିଲା । ୱିଲୀ ତାଙ୍କ ୱିକେଟ୍ ନେଇଥିଲେ । ପରବର୍ତ୍ତୀ ବ୍ୟାଟର୍ ରବୀନ୍ଦ୍ର ଜାଡ଼େଜା ମାତ୍ର ୭ ରନ୍ କରି ଗ୍ଲୀସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୧୯ତମ ଓଭର୍ରେ ସୂର୍ଯ୍ୟକୁମାରଙ୍କ ଉଜ୍ଜ୍ୱଳ ଇନିଂସ୍ର ଅନ୍ତ ଘଟାଇଥିଲେ ମୋଇନ୍ ଅଲ୍ଲୀ । ସୂର୍ଯ୍ୟକୁମାର ୫୫ ବଲ୍ରୁ ୧୪ ଚୌକା ଓ ୬ ଛକା ସହାୟତାରେ ୧୧୭ ରନ୍ କରିଥିଲେ । ହର୍ଷଲ ୮ ଓ ରବି ୨ ରନ୍ କରି ଆଉଟ୍ ହୋଇଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା । ଅଭେଶ ଖାଁ ୧ ରନ୍ କରି ଅପରାଜିତ ଥିଲେ ।