ସୁନାବେଶ ପ୍ରତି ବଢୁଛି ଆକର୍ଷଣ
ରଥ ଓ ବାହୁଡ଼ା ଯାତ୍ରାରେ କମୁଛନ୍ତି ଭକ୍ତ
ପୁରୀ (ବୁ୍ୟରୋ): ରଥଯାତ୍ରା ଆଉ ବାହୁରା ଅପେକ୍ଷା ଶ୍ରଦ୍ଧାଳୁଙ୍କ ଆକର୍ଷଣ ହେଉଛି ସୁନାବେଶ । ଗତ କିଛି ବର୍ଷର ତଥ୍ୟକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି । ଚଳିତବର୍ଷ ବି ରଥଯାତ୍ରା ଓ ବାହୁଡ଼ାରେ ବିଶେଷ ଗହଳି ପରିଲକ୍ଷିତ ହୋଇ ନ ଥିଲା । କିନ୍ତୁ ପୂର୍ବବର୍ଷ ଭଳି ସୁନାବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରକୁ ଛୁଟିଥିଲା ଭକ୍ତଙ୍କ ସୁଅ । ପ୍ରାୟ ୧୫ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସିଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ରଥଯାତ୍ରା ଓ ବାହୁଡ଼ା ପ୍ରତି ଲୋକଙ୍କ ଆକର୍ଷଣ ହ୍ରାସ ପାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତଥ୍ୟ ଅନୁଯାୟୀ, ୨୦୧୩ ଶ୍ରୀଗୁଣ୍ଡିଚାରେ ୭ ଲକ୍ଷ ୬ ହଜାର ୫୬୪ ଏବଂ ବାହୁଡ଼ାରେ ୬ ଲକ୍ଷ ୭୦ ହଜାର ୪୦ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୨୦୧୪ ଶ୍ରୀଗୁଣ୍ଡିଚାରେ ୭ ଲକ୍ଷ ୬୭ ହଜାର ୬୭୯ ଭକ୍ତ ଆସିଥିଲା ବେଳେ ବାହୁଡ଼ା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬ ଲକ୍ଷ ୯୧ ହଜାର ୨୦ ଥିଲା । ସେହିପରି ନବକଳେବର ବର୍ଷ ଅର୍ଥାତ୍ ୨୦୧୫ ମସିହାରେ ଗୁଣ୍ଡିଚାରେ ୧୦ ଲକ୍ଷ ୨୬ ହଜାର ୩୫୪ ଜଣ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବେଳେ ସେଥିରୁ ୩୦୪ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ବାହୁଡ଼ା ଯାତ୍ରା ଦେଖିବା ଲାଗି ୮ ଲକ୍ଷ ୮୬ ହଜାର ୭୫୨ ଜଣ ଭକ୍ତ ଶ୍ରୀକ୍ଷେତ୍ର ଆସିଥିଲେ । ପ୍ରଶାସନ ୨୦୧୫ ମସିହା ଠାରୁ ନୂତନ ଭାବରେ ସୁନାବେଶରେ ଭକ୍ତଙ୍କ ସଂଖ୍ୟା ଆକଳନ କରିଥିଲା । ଏହି ବର୍ଷ ୧୨ ଲକ୍ଷ ୪୩ ହଜାର ୬୩୩ ଜଣ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ । ୨୦୧୬ ଶ୍ରୀଗୁଣ୍ଡିଚାରେ ୮ ଲକ୍ଷ ଏବଂ ବାହୁଡ଼ାରେ ୩ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ସୁନାବେଶରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୨ ଲକ୍ଷ ହୋଇଥିଲା । ୨୦୧୭ ଶ୍ରୀଗୁଣ୍ଡିଚାରେ ୬ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ବାହୁଡ଼ାରେ ୪ ଲକ୍ଷ ଓ ସୁନାବେଶରେ ୧୧ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ୨୦୧୮ ଶ୍ରୀଗୁଣ୍ଡିଚାରେ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ବାହୁଡ଼ାରେ ୫ ଲକ୍ଷ ଓ ସୁନାବେଶରେ ୧୨ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ୨୦୧୯ ଶ୍ରୀଗୁଣ୍ଡିଚାରେ ୧୦ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ବାହୁଡ଼ାରେ ୭ଲକ୍ଷ ଓ ସୁନାବେଶରେ ୧୧ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଏଥର ମଧ୍ୟ ଅନୁରୂପ ଶ୍ରୀଗୁଣ୍ଡିଚାରେ ୧୦ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ବାହୁଡ଼ାରେ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ରବିବାର ଅନୁଷ୍ଠିତ ସୁନାବେଶରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସିଥିବା ଜଣାପଡ଼ିଛି । ଗତ ୭ବର୍ଷ ସୁନାବେଶର ତଥ୍ୟକୁ ଦେଖିଲେ ଭକ୍ତଙ୍କ ସଂଖ୍ୟା ରଥଯାତ୍ରା ଓ ବାହୁଡ଼ା ଅପେକ୍ଷା ସୁନାବେଶରେ ସଂଖ୍ୟା ବଢ଼ିଛି ।
ଶ୍ରଦ୍ଧାଳୁଙ୍କ ରଥଯାତ୍ରା ଓ ବାହୁଡ଼ାରେ ସଂଖ୍ୟା ହ୍ରାସକୁ ନେଇ ବିଭିନ୍ନ କାରଣ ଦାୟୀ ବୋଲି ଜଣାପଡ଼ିଛି । ବିଶେଷ ଭାବରେ ରଥଯାତ୍ରା ଓ ବାହୁଡ଼ାରେ ପୁଲିସର ଟ୍ରାଫିକ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ହନ୍ତସନ୍ତ ହେଉଛନ୍ତି । ଏପରିକି ପୁଲିସ ସାଇକେଲଟିଏ ମଧ୍ୟ ଛାଡ଼ିବ ନାହିଁ । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ୫ରୁ ୬ କିମି ଚାଲୁଛନ୍ତି । ସେମାନଙ୍କ ପାଇଁ ପୁଲିସ ଅବରୋଧ ସମସ୍ୟା ସୃଷ୍ଟି କରୁଛି । ଅନ୍ୟପଟରେ ସୁନାବେଶ ଏକ ସ୍ଥିର ସମୟ ମଧ୍ୟରେ ହେଉଥିବାରୁ ଏବଂ ରଥ ଉପରେ ସୁବିଧାରେ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ଆକର୍ଷଣ ବଢୁଥିବା ଆଲୋଚନା ହେଉଛି ।