ରାଜପକ୍ଷେଙ୍କ ଘରୁ ମିଳିଲା ଅମାପ ଟଙ୍କା
କଲମ୍ବୋ, ୧ଠା୭: ଅଭୂତପୂର୍ବ ଆର୍ଥିକ ସଙ୍କଟ ଯୋଗୁଁ ଦେବାଳିଆ ହୋଇପଡିଥିବା ଫେରାର ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ ଆସନ୍ତା ୧୩ ତାରିଖ ଦିନ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ତାଙ୍କ ସମ୍ଭାବ୍ୟ ଇସ୍ତଫା ପରେ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ କରାଯିବା ପ୍ରସ୍ତାବରେ ବିରୋଧୀ ଦଳମାନେ ରବିବାର ରାଜି ହୋଇଛନ୍ତି । ବର୍ତ୍ତମାନର ଆର୍ଥିକ ତଥା ରାଜନୈତିକ ମହାସଙ୍କଟରୁ ବର୍ତ୍ତିବାର ଉପାୟ ଖୋଜିବା ଲାଗି ବିରୋଧୀ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବିରୋଧୀ ଦଳ ସମାଗୀ ଜନ ବାଲବେଗୟା (ଏସ୍ଜେବି) ସର୍ବଦଳୀୟ ସରକାର ଗଠନ ସପକ୍ଷରେ ମତ ଦେଇଥିବାବେଳେ କ୍ଷମତାସୀନ ଏସ୍ଏଲ୍ପି ପାର୍ଟିରୁ ଅଲଗା ହୋଇଯାଇଥିବା ଗୋଷ୍ଠୀର ନେତା ବାସୁଦେବ ନାନାୟକାରା କହିଛନ୍ତି ଅନ୍ତରୀଣ ସରକାର ଗଠନ ପାଇଁ ରାଜପକ୍ଷେଙ୍କ ଇସ୍ତଫାକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ।
ଦେଶବ୍ୟାପୀ ଅରାଜକତା ସାଙ୍ଗକୁ ଗୃହଯୁଦ୍ଧ ଅନୁରୂପ ସ୍ଥିତି ଉପୁଜିଥିବାବେଳେ ଦେଶର ସେନାମୁଖ୍ୟ ଜେନେରାଲ୍ ଶୈବେନ୍ଦ୍ର ସିଲ୍ଭା ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି ।
ଇତି ମଧ୍ୟରେ ରାଷ୍ଟ୍ରପତି ରାଜପକ୍ଷେଙ୍କ ଭ୍ରଷ୍ଟାଚାରର ପର୍ଦ୍ଦାଫାସ୍ ହୋଇଛି । ତାଙ୍କ ସରକାରୀ ବାସଭବନରୁ କୋଟି କୋଟି ଟଙ୍କା ମିଳିଛି । ଶ୍ରୀଲଙ୍କାର ଦୈନିକ ସମ୍ବାଦପତ୍ର ଡେଲି ମିର୍ର୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭବନକୁ ଦଖଲ କରିନେଇଥିବା ଆନେ୍ଦାଳନକାରୀମାନେ ସେଠାରୁ ଅମାପ ନଗଦ ଟଙ୍କା ଜବତ କରି ସୁରକ୍ଷା ଗାର୍ଡମାନଙ୍କ ଜିମା ଦେଇଛନ୍ତି । ଆନେ୍ଦାଳନକାରୀମାନେ ବିଡାବିଡା ନୋଟ୍ ଗଣୁଥିବାର ଭିଡିଓ ଭାଇରାଲ୍ ହୋଇଛି । ରାଷ୍ଟ୍ରପତି ରାଜପକ୍ଷେ ଭ୍ରଷ୍ଟାଚାର କରି ବିପୁଳ ଅର୍ଥ ରାଶି ଜମା କରିଥିବା ଅନୁମାନ କରାଯାଉଛି ।
ଫେରାର ହେବା ପରଠାରୁ ରାଜପକ୍ଷେଙ୍କ ଅବସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ଅଜ୍ଞାସ ବାସରେ ଥାଇ ସେ ରନ୍ଧନ ଗ୍ୟାସ୍ ବିବରଣୀ ସମ୍ପର୍କରେ ଏକ ଆଦେଶନାମା ଜାରି କରିଛନ୍ତି । ଖବର ଅନୁଯାୟୀ, ବିଦେଶରୁ ପ୍ରଥମ ଦଫାରେ ୩୭୦୦ ଟନ୍ ଏଲ୍ପିଜି ଗ୍ୟାସ୍ ଆସିଯାଇଛି । ଦ୍ୱିତୀୟ ଦଫାରେ ମଙ୍ଗଳବାର ଆଉ ଏକ ଜାହାଜରେ ୩୭୪୦ ଟନ୍ ଗ୍ୟାସ୍ ପହଞ୍ଚôବ । ୧୫ ତାରିଖ ଦିନ ଆଉ ୩୨୦୦ ଟନ୍ ଗ୍ୟାସ୍ ପହଞ୍ଚôଯିବ । ଏହାର ସୂଚାରୁ ବିତରଣ ସୁନିଶ୍ଚିତ କରାଇବା ପାଇଁ ରାଷ୍ଟ୍ରପତି ଆଦେଶ ଦେଇଛନ୍ତି ।
ଶ୍ରୀଲଙ୍କା ସ୍ଥିତି ଉପରେ ଭାରତ ତୀକ୍ଷ୍ମ ନଜର ରଖିଛି ବୋଲି ଉଲ୍ଲେଖ କରି ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ୍ ବାଗ୍ଚୀ କହିଛନ୍ତି, ଶ୍ରୀଲଙ୍କା ଉପରେ ୫୧ ବିଲିଅନ୍ ଡଲାରରୁ ଅଧିକ ବିଦେଶୀ ଋଣ ଭାର ରହିଛି । ଚରମ ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଅତି କମ୍ରେ ୪ ବିଲିଅନ୍ ଡଲାର ଆବଶ୍ୟକ କରହୁଛି । ଭାରତ ପଡୋଶୀ ଧର୍ମ ନିଭାଇବାକୁ ଯାଇ ଚଳିତ ବର୍ଷ ୩.୮ବିଲିଅନ୍ ଡଲାର ର ସହାୟତା ଯୋଗାଇ ଦେଇଛି । ଏହାଛଡା ଶ୍ରୀଲଙ୍କା ବାସୀଙ୍କ ଜୀବନଧାରଣ ଲାଗି ବିଭିନ୍ନ ଆତ୍ୟାବଶ୍ୟକ ସାମଗ୍ରୀ ଯଥା-ଖାଦ୍ୟ, ଔଷଧ ଇତ୍ୟାଦି ଯୋଗାଇ ଦିଆଯାଇଛି ।