ଅଧରପଣା: ୧୨ରୁ ଏବେ ୯ ହାଣ୍ଡି
ପୁରୀ (ବୁ୍ୟରୋ): ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ବାହୁଡ଼ା ଯାତ୍ରାରେ ଫେରିବା ପରେ ପରଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋରମ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହା ପରଦିନ ସିଂହଦ୍ୱାରଠାରେ ତିନିରଥ ଉପରେ ଅନୁଷ୍ଠିତ ହୋଇଥାଏ ଅଧରପଣା ଭୋଗ । ରଥାରୂଢ଼ ଠାକୁରମାନଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣାଭୋଗକୁ ଅଧରପଣା କୁହାଯାଏ ।
ଏହି ଅଧରପଣା ସମ୍ପର୍କରେ ଗବେଷକମାନେ କୁହନ୍ତି, ପୂର୍ବେ ବାହୁଡ଼ା ଦଶମୀ ଦିନ ତିନିହାଣ୍ଡି, ଏକାଦଶୀ ତିଥିରେ ତିନିହାଣ୍ଡି, ଦ୍ୱାଦଶୀ ଦିନ ତିନିହାଣ୍ଡି ଏହିପରି ୯ ହାଣ୍ଡି ଓ ଶ୍ରୀବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦେ୍ଦଶ୍ୟରେ ୨ ହାଣ୍ଡି(ସାନ) ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ପାଇଁ ୧ ହାଣ୍ଡି(ସାନ)କ୍ରମରେ ସମୁଦାୟ ୧୨ ହାଣ୍ଡି ଅଧରପଣା ଭୋଗ ହେଉଥିଲା । କିନ୍ତୁ ସମ୍ପ୍ରତି ତିନିରଥ ପାଇଁ କେବଳ ଗୋଟିଏ ଦିନରେ ସମୁଦାୟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି । ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ୩ଟି ଲେଖାଏଁ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଉଛନ୍ତି । ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିର ପ୍ରଶାସନ ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତିପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖନ୍ତି । ପ୍ରତି ଠାକୁରଙ୍କ ସମ୍ମୁଖରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକାର ମୃତ୍ତିକା ନିର୍ମିତ ତିନିଗୋଟି ହାଣ୍ଡି ରଖାଯାଏ । କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ । ପୂର୍ବରୁ ପାଣିଆଅପଟ ସେବକମାନେ ସିଂହଦ୍ୱାର ଛାଉଣି ମଠ ସମ୍ମୁଖସ୍ଥ କୂଅରୁ ଗରାମାନଙ୍କରେ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି ।
ଜଣାଯାଏ, ପୂର୍ବେ ଅଧରପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରୁ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଇଥିଲା । କୂପରୁ ଜଳ ବୋହିବା ସମୟରେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡ଼େଇଥାନ୍ତି, ଯେପରି କେହି ପବିତ୍ର ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳିଚ୍ଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏ ଧଳା କରିଆ ପକାଯାଏ । ପବିତ୍ର ଜଳକୁ ଛାଣିବା ଉଦେ୍ଦଶ୍ୟରେ ଏହା ପକାଯାଇଥାଏ । ମହାସୁଆରମାନେ ପ୍ରତି ରଥ ଉପରେ ଅଧରହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହାକୁ ପତ୍ରୀବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନିରଥ ଉପରେ ପୂଜାର୍ଚ୍ଚନା କରନ୍ତି । ଏହାପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ଲଗାଇଥାନ୍ତି । ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ଏହି ପାତ୍ରମାନଙ୍କୁ ଭାଙ୍ଗି ଦିଆଯାଏ ।
ଜନଶ୍ରୁତିରୁ ଜଣାଯାଏ ତିନିରଥ ଉପରେ ଠାକୁରମାନଙ୍କୁ ଅର୍ପିତ ଅଧରପଣା ଭୋଗ ରଥର ପାଶ୍ୱର୍ ଦେବଦେବୀ ଅନ୍ୟାନ୍ୟ ଚଣ୍ଡୀଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ । କାରଣ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ହିତ ସାଧନ ନିମନ୍ତେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି । ଏହି ଚଣ୍ଡୀଚାମୁଣ୍ଡା ପ୍ରଭୃତିଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ । ଏଣୁ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ବିଧାନ ବହୁ ପ୍ରାଚୀନ କାଳରୁ ରହିଆସିଛି । ଏଥିପାଇଁ ଅଧରପଣା ହାଣ୍ଡିମାନଙ୍କୁ ରଥ ଉପରେ ଭାଙ୍ଗି ଦିଆଯାଏ । ଏହି କାରଣରୁ ସାଧାରଣତଃ ଅନ୍ୟ କେହି ଅମୃତୋପମ ପଣାକୁ ସେବନ କରି ନ ଥାନ୍ତି ବୋଲି କହିଛନ୍ତି ।
ଅଧରପଣା ନୀତି ନିର୍ଘଣ୍ଟ
ରଥଉପରେ ଭୋର ୬ଟାରୁ ୬ଟା ୩୦ମଧ୍ୟରେ ମଙ୍ଗଳଆଳତି, ମଇଲମ ଓ ତଡ଼ପଲାଗି- ୭ଟା, ଅବକାଶ- ୮ଟା, ବେଶ ଶେଷ- ୯ଟା, ଗୋପାଳବଲ୍ଲଭ-୧୦ଟାରୁ ୧୦ଟା୩୦, ସକାଳଧୂପ- ୧୧ଟାରୁ ୧୨ଟା, ମଇଲମ- ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ- ୯ଟା ୩୦, ବେଶ ଶେଷ- ୧୦ଟା, ମଧ୍ୟାହ୍ନ ଧୂପ- ୧୦ଟା ୩୦ରୁ ୧୧ଟା ୩୦, ମଇଲମ, ବେଶ-୨ଟା, ମଧ୍ୟାହ୍ନ ଧୂପ-୩.୩୦ରୁ ୪ଟା ୩୦, ତିନି ରଥର ଅଧରପଣା ନୀତି ଶେଷ ରାତ୍ର- ୮ଟା, ମହାସ୍ନାନ ଶେଷ-୯ଟା, ମଇଲମ ଓ ବେଶ- ୧୦ଟା, ସନ୍ଧ୍ୟାଧୂପ- ୧୧ଟାରୁ ୧୨ଟା, ମଇଲମ ଓ ଚନ୍ଦନଲାଗି- ୧୨ଟା ୩୦, ବଡ଼ସିଂହାର ବେଶ- ୧ଟା, ବଡ଼ସିଂହାର ଭୋଗ- ୧ଟା ୩୦, ଗରୁଡ଼ ଶୟନ ନୀତି ଶେଷ- ୧ଟା୩୦ ଓ ରାତ୍ର ପହୁଡ଼- ୨ଟା ।