ବାହୁଡ଼ିଲେ ମହାବାହୁ

ପୁରୀ, ୯ା୭(ବୁ୍ୟରୋ): ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ପ୍ରଭୁ ଲୀଳାମୟ । ଦାରୁଦିଅଁଙ୍କ ବାହୁଡ଼ା ଯାତ୍ରା ପାଇଁ ଶନିବାର ସକାଳୁ ବଡଦାଣ୍ଡ ପାଲଟିଥିଲା ଜନସମୁଦ୍ର । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ରହିଥିଲେ ତିନି ରଥ । ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ବାହୁଡ଼ା ନୀତିକାନ୍ତି ଓ ପହଣ୍ଡି ସଅଳ ହୋଇଥିଲା । ଅଝଟ ନ ହୋଇ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାବିଗ୍ରହ । ନିର୍ଦ୍ଧାରିତ ସମୟର ୨ଘଣ୍ଟା ୪୫ ପୂର୍ବରୁ ଆରମ୍ଭ ହେଲା ରଥଟଣା । ଭାଇଭଉଣୀଙ୍କୁ ସାଥିରେ ଧରି କାଳିଆ ଠାକୁର ବାହାରିଥିଲେ ଶ୍ରୀମନ୍ଦିର ଅଭିମୁଖେ । ରାତି ୭ଟା ୨୦ ସୁଦ୍ଧା ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ତିନି ରଥ । ବାହୁଡା ଯାତ୍ରାରେ ପ୍ରାୟ ୫ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି ।
ମହାପ୍ରଭୁଙ୍କୁ ରତ୍ନ ସିଂହାସନକୁ ଫେରାଇନେବା ଲାଗି ଅପେକ୍ଷା କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସାମାନ୍ୟ ବର୍ଷା ପରେ ସକାଳୁ ପାଗ ଖରାଟିଆ ରହିଥିଲା । ସକାଳ ୭ଟା ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ମଙ୍ଗଳାର୍ପଣ ହୋଇ ବାଜିଥିଲା ବିଜେ କାହାଳୀ । ବାହୁଡା ପହଣ୍ଡି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବା ପାଇଁ ନୀତିନିର୍ଘଣ୍ଟ ହୋଇଥିବା ବେଳେ ୪ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୮ଟାରେ ଆରମ୍ଭ ହୋଇଥିଲା ଦାରୁବିଗ୍ରହଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡଠାକୁର ବଳଭଦ୍ର, ହଳଦୀମୁଖୀ ମା’ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ ହୋଇଥିଲେ । ୧୧ଟା ୨୫ସୁଦ୍ଧା ପହଣ୍ଡି ସରିଥିଲା ।
୧୧ଟା ୫୦ରେ ମଦନମୋହନ ଓ ରାମକୃଷ୍ନ ରଥକୁ ବିଜେ କରିଥିଲେ ।
୧୨ଟା ୩୦ରେ ଆରମ୍ଭ ହୋଇଥିଲା ଛେରାପହଁରା । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଲଗା ଖଡିକାରେ ଛେରାପହଁରା କରିଥିଲେ । ଅପରାହ୍ଣ ୧ଟା ୧୫ସୁଦ୍ଧା ଛେରାପହଁରା ସରିବାପରେ ଚାରମାଳ ଫିଟା ହୋଇ ଘୋଡା ଓ ସାରଥି ଲାଗିଥିଲା । ପୂର୍ବରୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଥିଲେ ହେଁ ଅପରାହ୍ନ ୧ଟା୪୦ରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ୨ଟା୧୫ରେ ଦର୍ପଦଳନ ଏବଂ ୨ଟା ୩୫ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିଥିଲେ ।
ବାହୁଡା ବାଟରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ପୋଡ଼ ପିଠା ସମର୍ପଣ କରାଯାଇଥିଲା । ନନ୍ଦିଘୋଷ ଶ୍ରୀନହରଠାରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥିଲା ।
ଅପରାହ୍ନ ୪ଟା୨୦ରେ ତାଳଧ୍ୱଜ, ୪ଟା୫୦ରେ ଦର୍ପଦଳନ ଓ ୭ଟା୨୦ରେ ନନ୍ଦିଘୋଷ ସିଂହଦ୍ୱାରରେ ଲାଗିବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ରଥ ଚତୁଃପାଶ୍ୱର୍ରେ ବ୍ୟାରିକେଡ୍ କରାଯାଇଥିଲା । ଭକ୍ତମାନେ ରଥାରୂଢ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *