ଶ୍ରୀଲଙ୍କା ରାଷ୍ଟ୍ରପତି ଫେରାର, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ,୯ା୭: ଅଭୂତପୂର୍ବ ଆର୍ଥିକ ସଙ୍କଟ ସହ ଲଢ଼ୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଆହୁରି ଖରାପ ହୋଇଛି । ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ କଲମ୍ବୋ ସ୍ଥିତ କାର୍ଯ୍ୟାଳୟ, ବାସଭବନ ଓ ସଚିବାଳୟ କବ୍ଚା କରିନେବା ସହ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ବେସରକାରୀ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ରାଷ୍ଟ୍ରପତି ଭବନ ଛାଡ଼ି ୭୩ ବର୍ଷୀୟ ରାଜପକ୍ଷେ ଫେରାର ହୋଇଯାଇଛନ୍ତି । ଅସମର୍ଥôତ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ସପରିବାର ଶୁକ୍ରବାର ରାତିରୁ ନୌସେନାର ୨ଟି ଜାହାଜ ‘ଗଜବାହୁ’ ଓ ‘ସିନ୍ଦୂରାଲା’ ଯୋଗେ କଲମ୍ବୋ ବନ୍ଦରରୁ ଯାଇ ସେନାଘାଟୀ ରୂପେ ବ୍ୟବହୃତ କୌଣସି କ୍ଷୁଦ୍ର ଦ୍ୱୀପରେ ଆତ୍ମଗୋପନ କରିଛନ୍ତି ।
ଆନେ୍ଦାଳନକାରୀମାନେ ଘେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ କାର୍ଯ୍ୟାଳୟ ଛାଡ଼ି ଅଜ୍ଞାତ ସ୍ଥାନକୁ ପଳାଇଥିଲେ ।
ଶନିବାର ସେ ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ ଡାକି ସର୍ବଦଳୀୟ ସରକାର ଗଠନ ଓ ବାଚସ୍ପତିଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ନିଯୁକ୍ତ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ବୋଲି ସୋସାଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ, ତାଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବଦଳୀୟ ସରକାର ଗଠନ ତଥା ସଂସଦର ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ ।
ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଗଣ ଆନେ୍ଦାଳନ ଦିନକୁ ଦିନ ତେଜିବା ଓ ରାଜଧାନୀ କଲମ୍ବୋ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ପରିପ୍ରେକ୍ଷୀରେ ଅଧିକାଂଶ ରାଜନୈତିକ ଦଳ ରାଷ୍ଟ୍ରପତି ପଦରୁ ରାଜପେକ୍ଷଙ୍କ ଇସ୍ତଫା ଦାବି କରିଛନ୍ତି । ରାଷ୍ଟ୍ରପତିଙ୍କ ନିଜ ଦଳ ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସ୍ଏଲ୍ପିପି)ର ୧୬ଜଣ ସାଂସଦ ମଧ୍ୟ ଏକ ପତ୍ର ମାଧ୍ୟମରେ ତୁରନ୍ତ ଇସ୍ତଫା ଦେବା ପାଇଁ ରାଜପକ୍ଷେଙ୍କୁ କହିଛନ୍ତି ।
ଶନିବାର କଲମ୍ବୋରେ ଉଗ୍ର ବିକ୍ଷୋଭ ରୋକିବା ପାଇଁ ପୁଲିସ୍ ପକ୍ଷରୁ ବ୍ଲାଙ୍କ୍ ଫାୟରିଂ କରାଯାଇଥିଲା । ପୁଲିସ୍ ସହ ସଂଘର୍ଷରେ ଶତାଧିକ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପୁଲିସ୍ର ଲାଠିମାଡ଼ରେ ୪ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।
୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାରେ ଏବେ ବସ୍ତୁତଃ ଗୃହଯୁଦ୍ଧ ଜାରି ରହିଛି । ରାଜପକ୍ଷେ ପରିବାରର ୫ଜଣ ସଦସ୍ୟ ଗୋଟବାୟା, ମହିନ୍ଦା, ଚମଲ ବେସିଲ ଓ ନମଲ ଦୀର୍ଘଦିନ ଧରି କ୍ଷମତାରେ ଥାଇ ଦେଶର ରାଜକୋଷକୁ ଲୁଟିବା ସହ ଚୀନ୍ ଠାରୁ ବିପୁଳ ଋଣ ଆଣିବା ଫଳରେ ଶ୍ରୀଲଙ୍କା ଆଜି ଦେବାଳିଆ ହୋଇପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *