ଥାନାରେ ଏତଲା ଦେଲେ ଶୀତଳ ଭଣ୍ଡାର ମାଲିକ
ଆଇଡିବିଆଇ କର୍ତ୍ତୃପକ୍ଷଙ୍କ ଅର୍ଥ ହଡ଼ପ ଅଭିଯୋଗ
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଥିବା ଓଡ଼ିଶା ମର୍ଚାଣ୍ଡାଇଜଡ୍ ପ୍ରାଇଭେଟ୍ ଲିମିଟେଡ୍ର ଶୀତଳ ଭଣ୍ଡାର ମାଲିକ ବିଷ୍ଣୁପି୍ରୟା ସାହୁ କେନ୍ଦୁଝର ଶାଖା ଆଇଡିବିଆଇ ବ୍ୟାଙ୍କ୍ ବିରୋଧରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଏହି ବ୍ୟାଙ୍କ ତାଙ୍କର ଫିକ୍ସଡ୍ ଡିପୋଜିଟ୍ ଟଙ୍କା ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ଆଇଡିବିଆଇ ବ୍ୟାଙ୍କ୍ କେନ୍ଦୁଝର ଶାଖାରୁ ବିଷ୍ଣୁପ୍ରିୟା ଶୀଳତଭଣ୍ଡାର ପାଇଁ ଋଣ ନେଇଥିଲେ । ପରବର୍ତ୍ତୀ କାଳରେ ଶୀଳତଭଣ୍ଡାର ସୁଚାରୁ ରୂପେ ଚାଲୁ ନ ହେବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ । ଶୀତଳ ଭଣ୍ଡାର ଉଦ୍ୟୋଗୀ ଜଣକ ବହୁ ଆବେଦନ କରିବା ପରେ ବ୍ୟାଙ୍କ୍ ଏକ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିଥିଲେ । ୨୦୨୨ ଏପ୍ରିଲ୍ ୧ରେ ଧାର୍ଯ୍ୟ ସମୟରେ ସମସ୍ତ ଋଣ ଟଙ୍କା ଫେରସ୍ତ କଲେ ଉଦ୍ୟୋଗୀଙ୍କ ଋଣ ବନ୍ଦ କରିବା ସହ ଶୀତଳଭଣ୍ଡାର, ବ୍ୟାଙ୍କ୍ରେ ଥିବା କାଗଜପତ୍ର ଓ ଫିକ୍ସଡ୍ ଡିପୋଜିଟ୍ ଟଙ୍କା ଫେରସ୍ତ କରିବାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଥିଲେ । ୩ ମାସ ମଧ୍ୟରେ ଉଦ୍ୟୋଗୀ ସମସ୍ତ ପଇସା ବ୍ୟାଙ୍କ୍ରେ ପୈଠ କରିବେ ବୋଲି ଚୁକ୍ତି ହୋଇଥିଲା ।
ଉଦ୍ୟୋଗୀ ଜଣକ ସମ୍ପତ୍ତି ବିକି ୨୦୨୨ ମେ’ ୩୧ରେ ବ୍ୟାଙ୍କ୍ର ଚୁକ୍ତି ଅନୁଯାୟୀ ସମସ୍ତ ପଇସା ପୈଠ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ସମ୍ପତ୍ତି କାଗଜପତ୍ର ଓ ଫିକ୍ସଡ ଡିପୋଜିଟ୍ ଟଙ୍କା ଫେରସ୍ତ କରିବାକୁ ବ୍ୟାଙ୍କ୍କୁ କହିଥିଲେ । ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାଙ୍କୁ କୌଣସି କାଗଜ ପତ୍ର ଏବଂ ଫିକ୍ସଡ୍ ଡିପୋଜିଟ୍ ଟଙ୍କା ଫେରସ୍ତ କରି ନ ଥିଲେ । ୨୦୨୨ ଜୁନ୍ ୮ରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଫିକ୍ସଡ୍ ଡିପୋଜିଟ୍ ଟଙ୍କା ନିଜ ଅଧୀନକୁ ନେଇଯାଇଥିବା ମହିଳା ଉଦ୍ୟୋଗୀ ବିଷ୍ଣୁପ୍ରିୟା ସାହୁ ଜାଣିବାକୁ ପାଇଥିଲେ । ଉଦ୍ୟୋଗୀ ଫିକ୍ସ ଡିପୋଜିଟ୍ ଅର୍ଥ ଫେରି ପାଇବା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟ ବିବରଣୀ ଦେଉ ନ ଥିଲେ । ଫିକ୍ସଡ୍ ଡିପୋଜିଟ୍ ଟଙ୍କାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ହଡ଼ପ କରିଥିବା ବିଷ୍ଣୁପ୍ରିୟା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ଉଦ୍ୟୋଗୀ ଜଣକ କେନ୍ଦୁଝର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଉଦ୍ୟୋଗୀ ଜଣକ ପୂର୍ବରୁ ନିଜର ସମସ୍ୟାକୁ ନେଇ ବ୍ୟାଙ୍କର ଉଚ୍ଚ ପଦବୀ ଅଧିକାରୀ, ଓଡ଼ିଶା ସରକାର, ଏସ୍ଏଲ୍ଭିସି, ଏଲ୍ଡିଏମ୍ଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ଦୃଷ୍ଟାନ୍ତମୂଳକ ନ୍ୟାୟ ନ ମିଳିବାରୁ ବିଷ୍ଣୁପ୍ରିୟା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।