ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ
ପୁରୀ (ବୁ୍ୟରୋ): ନବଦିନାତ୍ମକ ଯାତ୍ରା ସାରି ଭାଇ ଉଭଣୀକୁ ସାଥିରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ଲକ୍ଷ୍ମୀ ଠାକୁରାଣୀ । ଏହି ସମୟରେ ସିଂହଦ୍ୱାରରେ ରଥରେ ଥିଲେ ଦେଡ଼ଶୂର ବଡ଼ଠାକୁର ବଳଭଦ୍ର । ତେଣୁ ତାଳଧ୍ୱଜ ରଥରେ ଘେର କନା ଦିଆଯିବା ପରେ ପାଲିଙ୍କିରେ ଲକ୍ଷ୍ମୀ ଠାକୁରାଣୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥିଲେ । ନନ୍ଦିଘୋଷ ରଥ ଆସି ଶ୍ରୀନଅର ସମ୍ମୁଖରେ ଅଟକିଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଲକ୍ଷ୍ମୀ(ଶ୍ରୀଦେବୀ)ଙ୍କୁ ହାତରେ ବିଜେ କରାଇ ଆଣି ରଥାରୂଢ଼ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଭେଟ କରାଇଥିଲେ । ପତିମହାପାତ୍ର ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ । ଏହାପରେ ପାଲିଙ୍କି ସହ ଗଜପତି ରଥକୁ ପରିକ୍ରମା କରି ରଥ ବାମପାଶ୍ୱର୍ରେ ପାରମ୍ପରିକ ରୀତିରେ ବନ୍ଦାପନା କରିଥିଲେ । ପରେ ଶ୍ରୀନଅର ସମ୍ମୁଖରେ ପନ୍ତିଭୋଗ ସମ୍ପନ୍ନ ହୋଇଥିଲା । ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବସି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ନନ୍ଦିଘୋଷ ରଥ ଗଡ଼ିଥିଲା ସିଂହଦ୍ୱାର ଅଭିମୁଖେ । ଏହି ନୀତିକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଇଥାଏ । ଏହାକୁ ଦେଖିବା ଲାଗି ଶ୍ରୀନଅର ସମ୍ମୁଖରେ ଭକ୍ତଙ୍କ ସମାଗମ ହୋଇଥିଲା ।